ମମତାଙ୍କ ସହ ଲଢିବେ ଶୁଭେନ୍ଦୁ ଅଧିକାରୀ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଯିଏକି ପୂର୍ବରୁ ଟିଏମସି ଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ସେ ନିର୍ବାଚନ ଲଢିବେ। ସେହିପରି ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ମୋୟନା ଆସନରୁ ବିଜେପି ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ମାର୍ଚ୍ଚ ୨୭ ଓ ଏପ୍ରିଲ ୧ରେ ହେବ ପଶ୍ଚିମବଙ୍ଗର ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ। ମାର୍ଚ୍ଚ ୨୭ରୁ ରାଜ୍ୟରେ ଆରମ୍ଭ ହେଉଥିବା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୨୯ରେ ହେବ। ମେ’ ୨ରେ ଭୋଟ ଗଣତି ସହ ଫଳା‍ଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବ। ବିଜେପି ଏହି ୬୦ଟି ଆସନରୁ ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରି ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିର ଅନୁମୋଦନକ୍ରମେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button