ମଣିଷର ପରମାୟୁ ୧୫୦ ବର୍ଷ ଯାଏଁ ବଢିପାରିବ

ମଣିଷର ପରମାୟୁ ୧୨୦ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ବୟସର ଗୁପ୍ତ ଗତି ବେଗକୁ ସିଙ୍ଗାପୁରର ବାୟୋଟେକ୍‌ କମ୍ପାନି ‘ଗେରୋ’ର ଗବେଷକମାନେ ଚିହ୍ନଟ କରିପାରିଥିବା ନେଚର୍‌ କମ୍ୟୁନିକେସନ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ମୃତ୍ୟୁ ଏକ ସହଜାତ ଜୈବିକ ବୈଶିଷ୍ଟ୍ୟ ଓ ତାହା ନାନାବିଧ ଚାପଜନିତ କାରଣରୁ ସର୍ବଦା ମୁକ୍ତ ଥାଏ ବୋଲି ଏଥିରେ କୁହାଯାଇଛି।

ଜର୍ଣ୍ଣାଲ୍‌ରେ ଉଲ୍ଲେଖ ହୋଇଛି ଜୈବିକ ବିବର୍ତ୍ତନର ମୂଲ୍ୟାୟନ କରିବା ଲାଗି ଗବେଷକମାନେ ‘ବ୍ଲଡ୍‌‌ ସେଲ୍‌ କାଉଣ୍ଟ୍’ରେ ଘଟୁଥିବା ପରିବର୍ତ୍ତନ ଓ ଲୋକେ ଦୈନିକ କେତେ ପାହୁଣ୍ଡ ଚାଲୁଛନ୍ତି ତାହା ଲକ୍ଷ୍ୟ କରିଥିଲେ। ସେମାନେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଓ ରୁଷ୍‌ର ବହୁସଂଖ୍ୟକ ଲୋକଙ୍କ ସ୍ଵାସ୍ଥ୍ୟଗତ ତଥ୍ୟାବଳୀ ମଧ୍ୟ ପର୍ଯ୍ୟବେକ୍ଷଣ କରିଥିଲେ। ଏ ସଂକ୍ରାନ୍ତରେ ଗବେଷକମାନେ କହିଛନ୍ତି ମନୁଷ୍ୟର ବାର୍ଦ୍ଧକ୍ୟ ସାର୍ବଜନୀନ ବୈଶିଷ୍ଟ୍ୟ ପ୍ରଦର୍ଶନ କରେ। ଏହି ବୈଶିଷ୍ଟ୍ୟ ହେଉଛି ଶରୀର ବିଘଟନ ହେବାକୁ ଯାଉଥିବା ସମୟରେ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମାନ।

ଟିମୋଥି ବି ପିକ୍ରୋଭ୍‌ଙ୍କ ନେତୃତ୍ଵାଧୀନ ଟିମ୍ କହିଛନ୍ତି ବୟସ ବଢ଼ିବା ସହ ରୋଗ ବଢ଼ିବା ଲକ୍ଷଣ ବାହାରେ। ଏହାର କାରଣ ରକ୍ତ କୋଷିକା ପ୍ରସ୍ତୁତ କରିବା ନିମନ୍ତେ ଶରୀର ଅକ୍ଷମତା। ଶାରୀରିକ ଅସୁବିଧାରୁ ମୁକ୍ତି ପାଇବାର ଅସମର୍ଥତା ଆୟୁଷ ନାଶ ହେବାର ବେଗ ବଢ଼ାଇଥାଏ। ଗବେଷକମାନେ ଜାଣିପାରିଛନ୍ତି ୧୨୦ ରୁ ୧୫୦ ବର୍ଷ ବୟସରେ ଉପନୀତ ମଣିଷ କୌଣସି ଶାରୀରିକ ଅସୁବିଧାରୁ ସୁସ୍ଥ ହେବାର ସମସ୍ତ କ୍ଷମତା ହରାଇ ବସିଥାଏ। ତେଣୁ ବିଶେଷଜ୍ଞମାନଙ୍କର ଦୃଢ଼ ବିଶ୍ଵାସ ଏହି ପ୍ରକ୍ରିୟା ବା ଗତି ବେଗକୁ ମନ୍ଥର କରି ପରମାୟୁ ବୃଦ୍ଧି ନିମନ୍ତେ ଗବେଷକମାନେ ଔଷଧ ପ୍ରସ୍ତୁତ କରିବାରେ ମାର୍ଗଦର୍ଶନ କରାଇପାରିବେ।

Leave a Reply

Your email address will not be published. Required fields are marked *

Back to top button