ମାସକ ଭିତରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା : ଋଷ ସେନା ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ଋଷର ସୈନ୍ୟ ବିଶେଷଜ୍ଞମାନେ ଏହି ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯଦି ସ୍ଥିତି ନ ସୁଧୁରେ ତେବେ ମାସକ ଭିତରେ ଭୟଙ୍କର ଯୁଦ୍ଧ ହେବ। ଉତ୍ତେଜନା ବଢୁଥିବାରୁ ଋଷ ସୀମାକୁ ନିଜର ସୈନ୍ୟଙ୍କୁ ପଠାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ ଋଷ ବିଶେଷଜ୍ଞ ପାଓ୍ୱେଲ୍ ଫେଲଗେନହର୍ କହିଛନ୍ତି ଏବେ ପରିସ୍ଥିତି ଅଶାନ୍ତ ରହିଛି। ଏହାକୁ ଦେଖିବା ପରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଅନୁମାନ କରାଯାଉଛି। ଗଣମାଧ୍ୟମରେ ଏ ବିଷୟରେ ଆଲୋଚନା ନହେଉଥିଲେ ମଧ୍ୟ ଅନେକ ଖରାପ ସଙ୍କେତ ସାମ୍ନାକୁ ଆସୁଛି। ଯଦି ଯୁଦ୍ଧ ହୁଏ ଏହା କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ରହିବ ନାହିଁ। ଏଥିରେ ୟୁରୋପୀୟ ସଙ୍ଘ ଭାଗନେବ। ଫେଲଗେନହରଙ୍କ ଏପରି ମତ ଦେଇଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟ୍ୟାଙ୍କ ଓ ଯୁଦ୍ଧ ସରଞ୍ଜାମ ସହ ୪୦୦୦ ଯବାନଙ୍କୁ ସୀମା ନିକଟରୁ ପଠାଇଛନ୍ତି।

ଗତ ସପ୍ତାହରେ ୟୁକ୍ରେନର କମାଣ୍ଡର ଇନ୍ ଚିଫ୍ ଋ,ଲାନ୍ ଖୋମଚ୍ କହିଥିଲେ ଋଷ ସଙ୍ଘ ଦେଶ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି। ଋଷ ୨୫ ଟାକ୍ଟିକ୍ ଗ୍ରୁପକୁ ସୀମାରେ ନିୟୋଜିତ କରିଛି। ତେବେ ସେନା ମୁଭମେଣ୍ଟକୁ ନେଇ କେହି ଭୟ କରିବା ଆବଶ୍ୟକ ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱଯୁଦ୍ଧ ଆଶଙ୍କାର କାରଣ ହେଲା ୟୁକ୍ରେନ ଆମେରିକାର ନିକଟତର ଥିବା ବେଳେ ବାଇଡେନ-ପୁଟିନ୍ ଶତ୍ରୁତା ଆମେରିକା-ଋଷ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଛି। ୟୁକ୍ରେନକୁ ଆମେରିକାର ସହଯୋଗ ମିଳିଲେ ଋଷକୁ ଚୀନର ସହଯୋଗ ମିଳିପାରେ। ନିକଟରେ ଆମେରିକାରୁ ଅସ୍ତ୍ରଶସ୍ତ୍ରରେ ଭର୍ତ୍ତି ଏକ ପଣ୍ୟବାହୀ ବିରାଟ ଜାହାଜ ୟୁକ୍ରେନରେ ପହଁଚିଥିଲା। ଋଷ ଏହାକୁ ପ୍ରବଳ ବିରୋଧ କରିଥିଲା।

Leave a Reply

Your email address will not be published. Required fields are marked *

Back to top button