ମାଟିର ସମୃଦ୍ଧିରେ କୃଷି ଉତ୍ପାଦନ ବଢିବ : ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର : ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ କୃଷି ଉତ୍ପାଦନ ବଢ଼ିପାରିବ। ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ। ଉଭୟ ଜଳ ଓ ମୃତ୍ତିକା କୃଷି କାର୍ଯ୍ୟର ପ୍ରମୁଖ ଉପାଦାନ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ସଂପ୍ରସାରଣ ଅଧିକାରୀ, ଓଭରସିଅର ଓ ଅନ୍ୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଦ୍ରୁତ ଶିଳ୍ପାୟନ, ସହରୀକରଣ ଆଦି କାରଣରୁ ଚାଷ ଜମି କମୁଛି। ଏହାସତ୍ତ୍ଵେ ମୃତ୍ତିକାର ଉତ୍ତମ ପରିଚାଳନା, ଉନ୍ନତ ବିହନ ଓ କୃଷି ପଦ୍ଧତିର ବ୍ୟବହାର ଦ୍ୱାରା କୃଷି ଉତ୍ପାଦନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେଉଥିଲେ ହେଁ ପ୍ରତିବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି। କୃଷି କାର୍ଯ୍ୟରେ ଉତ୍କର୍ଷ ହାସଲ ଯୋଗୁ ରାଜ୍ୟ ଅନେକ ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ ମୃତ୍ତିକା ସଂରକ୍ଷଣ ବିଭାଗ ଦୁଇଟି ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ପାଇଛି।

ସେ କହିଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ୫ ବର୍ଷରେ ୫ ଲକ୍ଷ ଫାର୍ମ ପଣ୍ଡ ଖନନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋ ପୋଖରୀ ଖନନ କରି ଜଳସେଚନର ସୁଯୋଗ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ। ଅସଂପୂର୍ଣ୍ଣ ଫାର୍ମ ପଣ୍ଡଗୁଡ଼ିକର ଖନନ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେଉଁସବୁ ଜିଲ୍ଲାଗୁଡ଼ିକରେ ଫାର୍ମପଣ୍ଡ ଖନନ କାର୍ଯ୍ୟ ଆଶାନୁରୂପ ହୋଇନାହିଁ ସେଠାରେ ସଂପୃକ୍ତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉପଲବ୍ଧ ସମ୍ବଳର ଶତପ୍ରତିଶତ ବିନିଯୋଗ ଉପରେ ଗୁରୁତ୍ଵ ଦେଇଥିଲେ। ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Leave A Reply

Your email address will not be published.