ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ସ୍ଥଗିତ

0

ଭୁବନେଶ୍ଵର : କରୋନାର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ମେ ୧୮ରୁ ଆରମ୍ଭ ହେବାକୁ ଥିବା ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ। ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ମେ ୩ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ଵାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ୧୯ ତାରିଖ ଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ।

ଏହି ନିଷ୍ପତ୍ତି ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ। ଏହାଛଡା ସିବିଏସଇ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜି ମାଧ୍ୟମ ବିଦ୍ୟାଳୟ ନିମନ୍ତେ ୧୪ ତାରିଖରୁ ସିବିଏସଇ ପକ୍ଷରୁ ଜାରି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆସନ୍ତା ୧୯ରୁ ସମସ୍ତ ଇଂରାଜି ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ଵାରା ପରିଚାଳିତ ହଷ୍ଟେଲଗୁଡ଼ିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.