ମେଟଫୋର୍ମିନ୍ କରୋନା ଆକ୍ରାନ୍ତ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ବଢୁଛି ମୃତ୍ୟୁ ସଂଖ୍ୟା। ବିଶେଷ କରି କରୋନାର ଶିକାର ହେଉଛନ୍ତି ଯେଉଁମାନଙ୍କର ରହିଛି ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଶ୍ୱାସ, ଫୁସ୍‌ଫୁସ୍‌ ଓ କିଡ୍‌ନୀ ରୋଗପରି ସମସ୍ୟା। ଏଭଳି ସ୍ଥିତିରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଆସିଛି ଖୁସି ଖବର। ପୁରୁଣା ଔଷଧ ମେଟଫୋର୍ମିନ୍ ସେମାନଙ୍କୁ କରୋନା କବଳରୁ ରକ୍ଷା କରିପାରିବ ବୋଲି ଆଶା କରାଯାଉଛି।

ଉତ୍ତର ପ୍ରଦେଶର ଲକ୍ଷ୍ନୌର କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭରସିଟିର ପଲମୋନରୀ ଆଣ୍ଡ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ବେଦ ପ୍ରକାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେରିକାର ମିନିସୋଟା ୟୁନିଭରସିଟି ଓ ଚୀନ୍‌ର ଉହାନ ସିଟିରେ କରୋନାରେ ସଂକ୍ରମିତ ହୋଇଥିବା ଡାଇବେଟିସ୍ ରୋଗୀଙ୍କ ଉପରେ ମେଟଫୋର୍ମିନ୍‌ର ପରୀକ୍ଷଣ କରାଯାଇଥିଲା। ଏହାର ଫଳାଫଳ ବେଶ୍ ଉତ୍ସାହଜନକ ରହିଛି। ଏଠାରେ ଆମେ ରୋଗୀଙ୍କ ଠାରେ ଏହି ଔଷଧ ପ୍ରୟୋଗ କରି ପରିଣାମ ଆକଳନ କରିବୁ। ଅନ୍ୟ କିଛି ଡାକ୍ତରଖାନାରେ ମଧ୍ୟ କରୋନାରେ ସଂକ୍ରମିତ ଡାଇବେଟିସ୍ ରୋଗୀଙ୍କୁ ଏହି ଔଷଧ ଦିଆଯିବ।

ସେ କହିଛନ୍ତି ମେଟଫୋର୍ମିନ୍‌କୁ ଇନ୍‌ଫ୍ଲୁଏନ୍‌ଜା (ଭୂତାଣୁ ଦ୍ୱାରା ସଂକ୍ରମିତ ଜର, କାଶ, କଫ, ସର୍ଦ୍ଦି) ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଔଷଧ ଖାଇବା ପରେ ସୁଗାର ସ୍ତର ମଧ୍ୟ କମିଯାଏ। ତେଣୁ ଏହାର ଏକ ସକାରାତ୍ମକ ଭୂମିକା ଏବେ ସାମ୍ନାକୁ ଆସିଛି। ଆମେ ଏହା ଉପରେ ଅଧିକ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଛୁ ବୋଲି ଡାକ୍ତର ବେଦ ପ୍ରକାଶ କହିଛନ୍ତି।

ମତାମତ ଦିଅନ୍ତୁ ।