‘ମିଶନ ଶକ୍ତି’ ସ୍ୱତନ୍ତ୍ର ବିଭାଗ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର : ‘ମିଶନ ଶକ୍ତି’ ହେବ ସ୍ୱତନ୍ତ୍ର ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬ଟି ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ରେମୁଣାରେ ଏମ୍ସର ସାଟେଲାଇଟ୍ ସେଣ୍ଟର ଖୋଲିବା ପାଇଁ ୨୫ଏକର ଜମି ବିନା ମୂଲ୍ୟରେ ଯୋଗାଇଦେବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଦିଆଯାଇଥିବା ଭିଡିଓ ରେକର୍ଡିଂରେ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେମାନେ କହିଛନ୍ତି ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ, ଇସ୍ପାତ ଓ ଖଣି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ‘ମିଶନ ଶକ୍ତି’ ଏକ ନୂଆ ବିଭାଗ ହେବ। ବିଭିନ୍ନ ବିଭାଗ ଓ ସଂସ୍ଥା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସୁଦୃଢ଼ୀକରଣ ସହିତ ସୁଦୂର ପ୍ରସାରୀ କରିବା ନିମନ୍ତେ ଏହି ବିଭାଗ ସହାୟକ ହେବ। ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଓ ଓଡ଼ିଶା ଜୀବିକା ମିଶନ ମିଳିତ ଭାବେ ଗୋଟିଏ ପ୍ଲାଟଫର୍ମରେ କାମ କରିବେ। ଯେଉଁଠି ସମସ୍ତ କାର୍ଯ୍ୟ ଓ ନିର୍ଦ୍ଦିଷ୍ଟ ଦାୟିତ୍ୱ ସୁସଂଗଠିତ ହୋଇ ସଠିକ୍ ଭାବେ କାର୍ଯ୍ୟକାରୀ ହେବ। ଏହି ବିଭାଗ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ମହିଳା ଏସଏଚଜି ଓ ସେମାନଙ୍କର ମହାସଂଘ ପାଇଁ କାର୍ଯ୍ୟ କରିବ।

ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଇ-ନିଲାମ ମାଧ୍ୟମରେ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟକୁ ମେଟ୍ରିକ ଟନ୍ ପିଛା ଏକ ହଜାର ଟଙ୍କା ଦରରେ ଓଏମସି ମାଧ୍ୟମରେ ବିକ୍ରି କରାଯିବ। ରାଜ୍ୟରେ ପ୍ରତିଷ୍ଠିତ ଆଲୁମିନା ରିଫାଇନାରୀକୁ ଓଏମସି ମାଧ୍ୟମରେ ବକ୍ସାଇଟ୍ ଯୋଗାଣ ନିମନ୍ତେ ରାଜ୍ୟ ସରକାର ୨୦୧୮ ଫେବୃୟାରୀ ମାସରେ ନିଜର ଲଙ୍ଗଟର୍ମ ଲିଙ୍କେଜ୍ ନୀତିରେ ସଂଶୋଧନ କରିଥିଲେ। ୨୦୧୯ ମସିହାରେ କେନ୍ଦ୍ର ସରକାର ଜାତୀୟ ଇ-ନିଲାମ ପାଇଁ ଧାତବ ଗ୍ରେଡ୍ ବକ୍ସାଇଟର ହାରାହାରି ବିକ୍ରୟ ମୂଲ୍ୟ (ଆଭରେଜ ସେଲସ ପ୍ରାଇସ) ହିସାବରେ ସୂତ୍ରରେ ସଂଶୋଧନ କରିଥିଲେ। ମାତ୍ର ଏହି ସଂଶୋଧନକୁ ବିରୋଧ କରି ଲଙ୍ଗଟର୍ମ ଲିଙ୍କେଜ୍ କ୍ରେତାମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାସହିତ ହାରାହାରି ବିକ୍ରୟ ମୂଲ୍ୟ ହିସାବ ସୂତ୍ରର ସଂଶୋଧନ ପରେ ଓଏମସି ଦ୍ୱାରା ୨୦୨୦ ଅଗଷ୍ଟ ୩୧ରେ ପରିଚାଳିତ ଜାତୀୟ ଇ-ନିଲାମରେ କେହି ଅଂଶଗ୍ରହଣ କରିନଥିଲେ।

ତେଣୁ ଓଡ଼ିଶା ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ତଥା ପୂର୍ବରୁ ଉତ୍ତୋଳିତ ଓ ଗଚ୍ଛିତ ବକ୍ସାଇଟକୁ ନଷ୍ଟ ହେବାକୁ ନଦେଇ ଏହାକୁ କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଇ-ନିଲାମ ମାଧ୍ୟମରେ ବିକ୍ରୟ ନିମନ୍ତେ ଧାର୍ଯ୍ୟ ହୋଇଥିବା ସମସ୍ତ ବକ୍ସାଇଟକୁ ଏକ ହଜାର ଟଙ୍କା ମେଟ୍ରିକ ଟନ୍ ଦରରେ ଓଏମସି ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ଉକ୍ତ ପ୍ରକ୍ରିୟାରେ ଓଡ଼ିଶା ହାଇକୋର୍ଟଙ୍କ ୨୦୨୦ ଅକ୍ଟୋବର ୮ତାରିଖ ରାୟ ଅନୁସାରେ କ୍ରେତାମାନେ କ୍ରୟ କରିଥିବା ବକ୍ସାଇଟ୍ ପାଇଁ ପୃଥକ ମୂଲ୍ୟ ଦେବା ନିମନ୍ତେ ଏକ ଅଣ୍ଟରଟେକିଂ ଦେବେ। ଏହି ପ୍ରକ୍ରିୟା ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ କେବଳ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରାଯିବ। ଓଏମସିକୁ ଆର୍ଥିକ କ୍ଷତିରୁ ଉଦ୍ଧାର କରିବା ସହିତ ଖନନ ହୋଇଥିବା ବକ୍ସାଇଟ ବହୁଦିନ ଧରି ପଡ଼ି ରହିଲେ ତା’ର ଗୁଣବତ୍ତା ଓ ମୂଲ୍ୟରେ ହ୍ରାସ ହେବ ବୋଲି କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି।

ଏହାବ୍ୟତୀତ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ୍‌ ଅଧିନରେ ନିର୍ମାଣ ହେବ ଏମ୍ସ ସାଟେଲାଇଟ୍‌ ସେଣ୍ଟର। ଏଥିପାଇଁ ୨୫ଏକର ଜମି ବିନା ମୂଲ୍ୟରେ ଯୋଗାଇଦିଆଯିବ। ସେହିପରି ନିଷ୍ପତ୍ତି ହୋଇଛି ଆଳି, ଭିତରକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆଁ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଜାରପୁର ବ୍ଲକରେ ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କରାଯିବ। ସମ୍ବଲପୁର ଜିଲ୍ଲାର ୨୬ଟି ପଞ୍ଚାୟତ ଓ ଝାରସଗୁଡା ଜିଲ୍ଲାର ୨ଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଲାଗି ବ୍ୟୟବରାଦ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ରାଜ୍ୟ ସରକାର ଓଡିଶା ବିହନ ନିଗମକୁ ଶହେ କୋଟି ଟଙ୍କାର କର୍ପସ ଫଣ୍ଡ ଦେବେ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button