ମିସେଜ୍ ଶ୍ରୀଲଙ୍କା ପ୍ରତିଯୋଗିତାରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଲେ

ନୂଆଦିଲ୍ଲୀ : ମିସେଜ୍ ଶ୍ରୀଲଙ୍କା-୨୦୨୧ ପ୍ରତିଯୋଗିତାରେ ବିଜେତାଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନିଆଗଲା। ସର୍ବ ସମ୍ମୁଖରେ ମଞ୍ଚ ଉପରେ ଏହି ଘଟଣା ଘଟିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଖବର ହେଲା ରବିବାର ମିସେଜ ଶ୍ରୀଲଙ୍କା-୨୦୨୧ ଭାବେ ପୁଷ୍ପିକା ଡି’ସିଲ୍ୱାଙ୍କୁ ଚୟନ କରାଜୀବ ପରେ ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଗଲା। କିନ୍ତୁ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ୨୦୧୯ ସୁନ୍ଦରୀ ପ୍ରତିଯୋଗିତାର ବିଜେତା କାରୋଲିନ୍ ଜୁରି ଏହାକୁ ବିରୋଧ କରିଥିଲେ। ପୁଷ୍ପିକା ଡି’ସିଲ୍ୱା `ମିସେଜ୍ ଶ୍ରୀଲଙ୍କା’ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଘୋଷଣା କରିବା ସହିତ ତାଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଇଥିଲେ। ଶୋ’ର ରନ୍ର ଅପ୍ ଘୋଷିତ ସୁନ୍ଦରୀଙ୍କୁ ପିନ୍ଧାଇଥିଲେ ମୁକୁଟ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମୁକୁଟ ଛଡାଇ ପରେ କାରୋଲିନ୍ ଜୁରି କହିଛନ୍ତି ଡି’ସିଲ୍ୱା ମିସେଜ୍ ଶ୍ରୀଲଙ୍କା ହେବା ପାଇଁ ହକଦାର ନୁହନ୍ତି। କାରଣ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ଛାଡପତ୍ର ହୋଇସାରିଛି। ନିୟମ ଅନୁଯାୟୀ ପୂର୍ବରୁ ବିବାହିତ ଓ ଛାଡପତ୍ର ହୋଇସାରିଥିବା ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। ଏଥିପାଇଁ ତାଙ୍କ ମୁଣ୍ଡରୁ ମୁକୁଟା ସେ କାଢ଼ି ଆଣିଥିଲେ। ତେବେ ବିଜେତା ଘୋଷିତ ହୋଇଥିବା ଡି’ସିଲ୍ୱା ଏହି ଘଟଣାରେ ଅପମାନିତ ହୋଇଛନ୍ତି। ମୁକୁଟ ଛଡାଇବା ବେଳେ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ଡି’ସିଲ୍ୱାଙ୍କ ସମ୍ପର୍କୀୟ କହିଛନ୍ତି ତାଙ୍କର ଛାଡପତ୍ର ହୋଇନାହିଁ। ସେ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି। ତାଙ୍କୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପ୍ରତିଯୋଗିତାର ଆୟୋଜକ ପୁଷ୍ପିକା ଡି’ସିଲ୍ୱାଙ୍କୁ କ୍ଷମା ମାଗିଥିବା ବେଳେ ତାଙ୍କୁ ମୁକୁଟ ପୁଣିଥରେ ସମ୍ମାନର ସହ ଫେରାଇ ଦିଆଯିବ ବୋଲି କହିଛନ୍ତି।