ମିଥ୍ୟା ଦୁଷ୍କର୍ମ ମାମଲା : ୧୫ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ : ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ବରବାଦ ହୋଇଗଲା ସନ୍ତୋଷ ନାମକ ଜଣେ କଲେଜ ଛାତ୍ରଙ୍କ ଜୀବନ। ଗିରଫ ହୋଇ ସାତ ବର୍ଷରୁ ଅଧିକ ସମୟ ବିଚାରର ସମ୍ମୁଖୀନ ହେଲେ। ପୀଡ଼ିତାଙ୍କ ଜନ୍ମିତ ଶିଶୁର ‘ଡିଏନ୍‌ଏ’ ପରୀକ୍ଷା ପରେ ସତ ସାମ୍ନାକୁ ଆସିଛି। ସନ୍ତୋଷକୁ ଦୋଷମୁକ୍ତ କରି ଚେନ୍ନାଇ ଅଦାଲତ ତାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି।

ସନ୍ତୋଷଙ୍କ ଓକିଲ ଏ ସିରାଜୁଦ୍ଦିନ କହିଛନ୍ତି ତାଙ୍କ ମହକିଲଙ୍କ ପରିବାର ଓ ସେ ଝିଅର ପରିବାର ପଡ଼ୋଶୀ। ସେମାନେ ଏକା ସମ୍ପ୍ରଦାୟର ହୋଇଥିବାରୁ ସନ୍ତୋଷ ଓ ସେ ଝିଅର ବିବାହ ସ୍ଥିର କରିଥିଲେ। ପରେ ଜମିଜମା ବିବାଦ କାରଣରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ହୋଇଥିଲା। ସନ୍ତୋଷ ଓ ତାଙ୍କ ପରିବାର ଚେନ୍ନେଇର ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ। ସନ୍ତୋଷ ଏକ ଇଞ୍ଜିନିୟରିଙ୍ଗ୍‌ କଲେଜରେ ବିଟେକ୍‌ରେ ନାମ ଲେଖାଇଥିଲେ। କିନ୍ତୁ ସେ ଝିଅର ମାଆ ଆସି ତାଙ୍କ ପିତାମାତାଙ୍କୁ କହିଥିଲେ ଝିଅ ଅନ୍ତଃସତ୍ତ୍ୱା। ସେମାନେ ବିବାହ ଆୟୋଜନ କରିବା ଉଚିତ। ହେଲେ ଝିଅ ସହିତ ସେଭଳି କିଛି ସମ୍ପର୍କ ନଥିବା ସନ୍ତୋଷ କହିବାରୁ ସେମାନେ ଦୁଷ୍କର୍ମ ମାମଲା ଦାଏର କରିଥିଲେ। ଏହି ମାମଲାରେ ସନ୍ତୋଷ ଗିରଫ ହୋଇ ୯୫ ଦିନ ବିଚାର ବିଭାଗୀୟ ହାଜତରେ ରହିଲେ। ୨୦୧୦ ଫେବ୍ରୁଆରି ୧୨ ତାରିଖ ତାଙ୍କୁ ଜାମିନ ମିଳିଲା। ସେତେବେଳେକୁ ଝିଅଟି ପିଲାଜନ୍ମ କରିସାରିଥିଲା। ପିଲାଟି ସନ୍ତୋଷଙ୍କର ନୁହେଁ ବୋଲି ‘ଡିଏନ୍‌ଏ’ ପରୀକ୍ଷାରୁ ଜଣାପଡ଼ିବାରୁ ଚେନ୍ନାଇର ଏକ ମହିଳା ଅଦାଲତ ୨୦୧୬ ଫେବ୍ରୁଆରି ୧୦ରେ ସନ୍ତୋଷଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।