ମୋବାଇଲ୍‌ ଗେମ୍‌ ନିଶା : ପଡୋଶୀଙ୍କୁ ଟଙ୍କା ଓ ଗହଣା ଦେଇଦେଲା ଛାତ୍ର

ପାରାଦୀପ : ମୋବାଇଲ୍‌ ଗେମ୍‌ ନିଶାରେ ପଡ଼ି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ପଡୋଶୀଙ୍କୁ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପାରାଦୀପ ବଡ଼ପଡିଆ ଅଞ୍ଚଳ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ମୋବାଇଲ୍‌ ଗେମ୍‌ ‘ଫ୍ରି ଫାୟାର’ ଖେଳୁଥିଲା। ବାପା-ମାଆ ବିରୋଧ କରିବାରୁ ଗେମ୍‌ ଖେଳିବା ପାଇଁ ପଡ଼ୋଶୀଙ୍କ ଘରକୁ ସେଠାରେ ତାଙ୍କ ମୋବାଇଲ୍‌ରେ ଫ୍ରି ଫାୟାର ଗେମ୍‌ ଖେଳିଲା। କିନ୍ତୁ ପଡ଼ୋଶୀ ଘରର ଜଣେ ନାବାଳକ ତାଙ୍କୁ ମୋବାଇଲ୍‌ କିଣିବାକୁ ପରାମର୍ଶ ଦେଇ ଘରୁ ଟଙ୍କା ଆଣିବାକୁ କହିଥିଲେ। ଏଥିରେ ରାଜି ହୋଇ ଛାତ୍ର ଜଣଙ୍କ ଘରୁ ଲୁଚାଇ ୧୩ ହଜାର ଟଙ୍କା ଦେଇଥିଲା। ସେହି ଟଙ୍କାରେ ପଡ଼ୋଶୀ ପରିବାର ଲୋକ ମୋବାଇଲ୍‌ କିଣିଥିଲେ ହେଁ ଫ୍ରି ଫାୟାର୍‌ ଗେମ୍‌ ଖେଳିବାକୁ ଦେଲେନାହିଁ। ଲାପ୍‌ଟପ୍‌ କିଣିବାକୁ ପ୍ରବର୍ତ୍ତାଇଥିଲେ। ଲାପଟପ୍‌ର ବଡ଼ ସ୍କ୍ରିନ୍‌ରେ ଗେମ୍‌ ଖେଳିଲେ ଭଲ ରୋଜଗାର ହେବ ବୋଲି ଲୋଭ ଦେଖାଇଥିଲେ।

ଏଥିରେ ଭଳିଯାଇ ଛାତ୍ର ଜଣକ ଲାପ୍‌ଟପ୍‌ କଣିବାକୁ ଘରୁ ଟଙ୍କା ଚୋରି କରିବା ଆରମ୍ଭ କରିଥିଲା। ଯେଉଁଦିନ ଟଙ୍କା ପାଇଲାନି ସେଦିନ ବାକ୍‌ସରେ ଥିବା ସୁନା କାନଫୁଲ, ଚୁଡ଼ି, ଶଙ୍ଖା, ବ୍ରତ ଆଦି ସୁନା ଗହଣା ଆଣି ପଡ଼ୋଶୀଙ୍କୁ ଦେଇଥିଲା। ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହି ଗହଣାରୁ କିଛି ବିକ୍ରି ହୋଇଥିବା ବେଳେ ଆଉ କିଛି ଏକ ଘରୋଇ ବ୍ୟାଙ୍କରେ ବନ୍ଧକ ରଖାଯାଇଛି। ସେହି ଟଙ୍କାରେ ଲାପଟପ୍‌ କିଣା ଯାଇଥିଲା। ହେଲେ ଛାତ୍ରଙ୍କ ମା’ ବାକ୍ସରେ ଗହଣା ନଥିବା ଦେଖି ପଚରାଉଚରା କରିବାରୁ ସବୁ କଥା ଜଣାପଡିଥିଲା। ଏନେଇ ଛାତ୍ରଙ୍କ ମା’ ପାରାଦୀପ ଥାନାରେ ଅଭିଯୋଗ କଲେ। ପୋଲିସ ଚଢ଼ଉ କରି କିଛି ଗହଣା, ଲାପଟପ୍‌ ଓ ମୋବାଇଲ୍‌ ଉଦ୍ଧାର କରିଛି।

Leave a Reply

Your email address will not be published. Required fields are marked *

Back to top button