ମୌସୁମୀ ଅଧିବେଶନ ପାଇଁ କରୋନା ଟେଷ୍ଟ: ୭୫୭ରୁ ୧୩୬ ପଜିଟିଭ

ଭୁବନେଶ୍ୱର : ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ। ସଂକ୍ରମଣ ଭୟ ଥିବାରୁ ଚାଲିଛି କରୋନା ଟେଷ୍ଟ। ଗତକାଲି ୭୫୭ଙ୍କ ନମୁନା ସଂଗ୍ରହ କରଯାଇଥିଲା। ସେଥିରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଅସିଛି। ଏଥିରେ ରହିଛନ୍ତି ଦୁଇଜଣ ବିଧାୟକ। ଏହାଛଡ଼ା ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମଧ୍ୟ ଅଛନ୍ତି। କରୋନା ଚିହ୍ନଟ ହୋଇଥିବା ବିଧାୟକ, ସାମ୍ୱାଦିକ ଓ ବିଧାନସଭା କର୍ମଚାରୀମାନେ ବିଧାନସଭା ଭିତରକୁ ଯାଇପାରିବେ ନାହିଁ। ଗତକାଲି ପରି ଆଜି କେତେକ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଏହାର ରିପୋର୍ଟ ପରବର୍ତ୍ତୀ ସମୟରେ ଆସିବ।

ଶନିବାରଠାରୁ ବିଧାନସଭା ପରିସରରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଯାଏ ଚାଲିବ। ଗତକାଲି ୪୦୦ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କର ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ ୭୫୭ ଜଣଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିପାଇଁ ବିଏମ୍‌ସି ପକ୍ଷରୁ ବିଧାନସଭା ପରିସରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୬ଟି କାଉଣ୍ଟରରେ ନମୁନା ସଂଗ୍ରହ ହୋଇଥିଲା। ୪୦ଜଣ ପ୍ରତୀକ୍ଷା କରିବା ଭଳି ଦୁଇଟି ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା।

ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। କରୋନା ନେଗେଟିଭ୍‌ ଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ ବୋଲି ପୂର୍ବରୁ ବାଚସ୍ପତି ଘୋଷଣା କରିଥିଲେ। ଏହାଛଡ଼ା ଯେଉଁ ବିଧାୟକମାନେ ଗୃହକୁ ଆସିବାକୁ ଚାହୁଁ ନାହାନ୍ତି, ତାହାହେଲେ ସେମାନେ ଆଗୁଆ ଜଣାଇଲେ ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ମତାମତ ଦିଅନ୍ତୁ ।