ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢିବ !

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସ୍ଵେଚ୍ଛାକୃତ ଅବସର ନେବାକୁ ଚାହିଁଥିଲେ। ଏହାପରେ ସେ ହୋଇଥାନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ। କିନ୍ତୁ ଏବେ ସୂଚନା ମିଳୁଛି ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଏନେଇ କୁଆଡେ ବିଚାର ବିମର୍ଷ ଚାଲିଥିବା ଜୋରଦାର ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ସଚିବଙ୍କ ଭିଆରଏସ କିମ୍ବା କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ହେଲେ ଶୁଣିବାକୁ ମିଳୁଛି କେନ୍ଦ୍ର ସରକାର ଅଡୁଆ କରିଦେଇଛନ୍ତି। ଭିଆରଏସ ସମ୍ପର୍କିତ କାଗଜପତ୍ର ସଠିକ ସମୟରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଓଡିଶା ସରକାରଙ୍କ ପାଖକୁ ନପଠାଇବାରୁ ସମସ୍ୟା ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟ ସରକାର ତାଙ୍କ ଚାକିରୀ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିବେ। ଯଦି ଶୁଣିବାକୁ ମିଳୁଥିବା କଥା ସତ ହୁଏ ତେବେ ମୁଖ୍ୟ ଶାସନ ସଚିବ ଆଶାୟୀ ବରିଷ୍ଠ ଅଧିକାରୀଙ୍କୁ ଅପେକ୍ଷା କରିବାକୁ ପଡିବ।

ସୂଚନାଯୋଗ୍ୟ ୧୯୮୬ ବ୍ୟାଚ ଆଇଏଏସ ଅସୀତ କୁମାର ତ୍ରିପାଠୀଙ୍କ ଜନ୍ମ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ। ମୁଖ୍ୟ ଶାସନ ସଚିବ ପଦବୀ ଗ୍ରହଣ କରିବା ପରେ ସେ କହିଥିଲେ ଏଣିକି ଫାଇଲ ଚାଲିବ ନାହିଁ ଦୌଡିବ। ଆସନ୍ତା ଡ଼ିସେମ୍ବରରେ ସେ ଅବସର ନେଇଥାନ୍ତେ। ହେଲେ ତିନିମାସ ପୂର୍ବରୁ ସ୍ଵେଚ୍ଛାକୃତ ଅବସର ନେବେ ଓ ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବ ବୋଲି ଆଲୋଚନା ହେଉଥିଲା।

ମତାମତ ଦିଅନ୍ତୁ ।