ମୁମ୍ବାଇରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଯାହା କହିଥିଲେ ତାହା କାର୍ଯ୍ୟକାରୀ କଲେ। ଆଜି ଅପରାହ୍ଣରେ ପ୍ରାୟ ୩ଟା ବେଳେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲେ। ଏହି ସମୟରେ ଶିବସେନା କର୍ମୀମାନେ ବିମାନ ବନ୍ଦର ବାହାରେ କାଳାପତାକା ପ୍ରଦର୍ଶନ କରିବା ସହିତ ନାରାବାଜି କରିଥିଲେ। କଙ୍ଗନାକୁ ସମର୍ଥନ କରୁଥିବା କର୍ଣ୍ଣି ସେନାର ବହୁ ସଂଖ୍ୟକ କର୍ମୀ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

ଇତି ମଧ୍ୟରେ ବୃହତ ମୁମ୍ବାଇ ମହାନଗରପାଳିକା (ବିଏମସି ) ପକ୍ଷରୁ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସକୁ ଭାଙ୍ଗି ଦିଆଯାଇଛି। ବମ୍ବେ ହାଇକୋର୍ଟ ପକ୍ଷରୁ ରୋକ ଲଗାଯିବା ପୂର୍ବରୁ ବିଏମସି କଙ୍ଗନାଙ୍କ ଘର ଭାଙ୍ଗି ଦେଇଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତାକାଲି ହେବ। ଏହା ଉପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଆଜି ମୋର ଘର ଭାଙ୍ଗିଛି। ଆସନ୍ତାକାଲି ତୋର ଗର୍ବ ଅହଂକାର ଭାଙ୍ଗିବ। ଆଗାମୀ ଦିନରେ କଶ୍ମୀର, ଅଯୋଧ୍ୟାକୁ ନେଇ ମଧ୍ୟ ସିନେମା ତିଆରି କରିବି। ଦେଶବାସୀକୁ ଜାଗୃତ କରିବି। ମୋ ସହିତ ଏଭଳି ହେବାର ପଛର କାରଣ ରହିଛି।

ଅନ୍ୟପକ୍ଷରେ କଙ୍ଗନା ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବେଆଇନ ଦର୍ଶାଇ କିଛି ଅଂଶ ଭାଙ୍ଗିବାକୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ନାପସନ୍ଦ କରିଛନ୍ତି। ସେ କହିଛନ୍ତି ମୁମ୍ୱାଇରେ ଅନେକ ବେଆଇନ୍ କୋଠା ରହିଛି। ସେଗୁଡିକ ଉପରେ ଧ୍ୟାନ ଦେବାର ଅଛି। ଏଭଳି ନିଷ୍ପତ୍ତି ନେଇ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବାର ଆବଶ୍ୟକ ନଥିଲା। ସେ କହିଛନ୍ତି ମୁମ୍ୱାଇ ପୋଲିସ ଲୋକଙ୍କ ସୁରକ୍ଷା ପାଇଁ କାମ କରେ। ଏହା ସମସ୍ତେ ଜାଣନ୍ତି। କିନ୍ତୁ କିଛି ଲୋକଙ୍କ ମତକୁ ନେଇ ବିବାଦ ଛିଡା କରିବା ଠିକ୍ ନୁହେଁ।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ମୋର କୌଣସି ଭୂମିକା ନାହିଁ। ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାହିଁକି ଭଙ୍ଗାହେଲା ଏହାର ଜବାବ ବିଏମସି କମିଶନର ଦେଇପାରିବେ। ତେବେ ଯିଏ ବେଆଇନ କାମ କରିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଥିପାଇଁ ଦଳ ଦାୟୀ ନୁହେଁ ବୋଲି ସଞ୍ଜୟ କହିଛନ୍ତି।

ମତାମତ ଦିଅନ୍ତୁ ।