ନାବାଳିକା ପ୍ରେମିକାକୁ ପୋଡିଦେଲା ବିବାହିତ ପ୍ରେମିକ

ସବଡେଗା : ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହୋଇଛି ଅର୍ଦ୍ଧଦଗ୍ଧ ମୃତଦେହ। ଏହି ମୃତଦେହ ଜମୁନା ପଞ୍ଚାୟତ ମାୟାବାହାଲ ଗାଁ ବୁଢାପଡ଼ାର ନାବାଳିକା ସଂଜୁ ମାଝି ବୋଲି ଜଣାପଡିଛି। ସଂଜୁର ବାପା ଚଏତୁ ମାଝି ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି।

ଚଏତୁ କରିଥିବା ଅଭିଯୋଗ ଅନୁଯାୟୀ ସବଡେଗା ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ସଂଜୁ ଦେହରେ କିରାସିନି ଢାଳି ପୋଡି ଦେଇଛି। କୁହାଯାଉଛି ସଂଜୁ ୪ ମାସର ଗର୍ଭବତୀ ଥିଲେ। ହତ୍ୟାକାଣ୍ଡ ଘଟାଇ ଶ୍ରୀକାନ୍ତ ଫେରାର୍ ହୋଇଯାଇଥିବାରୁ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ତଳସରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କୁହାଯାଉଛି ନାବାଳିକାଜଣକ ପ୍ରାୟ ୬ ମାସ ହେବ ଶ୍ରୀକାନ୍ତଙ୍କ ସହିତ ଆସି ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ। ଶ୍ରୀକାନ୍ତ ପୂର୍ବରୁ ବିବାହିତ ଓ ତାଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ତାଙ୍କ ପ୍ରଥମ ପତ୍ନୀ ପିଲାଙ୍କ ସହିତ ଅନ୍ୟତ୍ର ରହୁଛନ୍ତି।

ମତାମତ ଦିଅନ୍ତୁ ।