ନାବାଳିକାକୁ ୬୦ବର୍ଷର ବୃଦ୍ଧଙ୍କ ଦୁଷ୍କର୍ମ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲାରେ ଲଜ୍ଜାଜନକ ଘଟଣା ଘଟିଛି। ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁର ଜଣେ ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ଆଠମଲ୍ଲିକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଗୁରୁବାର ସକାଳେ ସପୃକ୍ତ ବ୍ୟକ୍ତି ନାବାଳିକାଙ୍କୁ ବାଉଁଶ କରଡ଼ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଡାକିନେଇଥିଲେ। ସେଠାରେ ଦୁଷ୍କର୍ମ କରିବା ପରେ ଏ କଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କିନ୍ତୁ ନାବାଳିକା ଏ ସଂପର୍କରେ କହିବାରୁ କଥା ପଦାକୁ ଆସିଥିଲା। ପରିବାର ଲୋକ ଏବିଷୟରେ ଗାଁରେ ଆଲୋଚନା କରିବା ପରେ ରାତିରେ ଆଠମଲ୍ଲିକ ଥାନାକୁ ଆସି ଏତଲା ଦେଇଛନ୍ତି। ଦୁଷ୍କର୍ମକାରୀକୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ପୋଲିସ ଦୁଷ୍କର୍ମକାରୀ ଶିବ ପ୍ରଧାନକୁ ଥାନାକୁ ଆଣିଥିବା ଜଣାପଡିଛି। ପୀଡିତାକୁ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ରହିଛି।