ନଭେମ୍ବର ୧୦ରୁ ୩୦ ବାଣ ଫୁଟାଇବା ନିଷେଧ

ଭୁବନେଶ୍ଵର : ରାଜ୍ୟ ସରକାର ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦୀପାବଳି ଅବସରରେ ବାଣଫୁଟାକୁ ନିଷେଧ କରିଛନ୍ତି। ବାଣ ବିକ୍ରି ଉପରେ ଲଗାଯାଇଛି କଟକଣା। ଏ ନେଇ ସ୍ଵତନ୍ତ୍ର ରିଲିଫ୍ କମିସନର ପକ୍ଷରୁ ଏକ ଗାଇଡଲାଇନ୍ ଜାରି ହୋଇଛି। ନଭେମ୍ବର ୧୪ ତାରିଖ ଦୀପାବଳି ପଡ଼ୁଥିବାରୁ ଏହି ନି‌‌ଷେଧାଦେଶ ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିୟମ ଭାଙ୍ଗିଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୋଲିସକୁ ନି‌‌ର୍ଦେଶ ଦିଆଯାଇଛି।

ବାଣଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ ଅକସାଇଡ, ସଲଫର ଡାଇଅକସାଇଡ, କାର୍ବନ ମନୋକସାଇଡ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହାଦ୍ଵାରା ସମ୍ବେଦନଶୀଳ ଲୋକଙ୍କ ଶ୍ଵାସଜନିତ ସମସ୍ୟା ଦେଖା ଦେଇଥାଏ । ବାଣ ଫୁଟିବା ସମୟରେ ଗୃହ ପୃଥକବାସରେ ରହିଥିବା ତଥା କୋଭିଡ-୧୯ ସଂକ୍ରମିତ ଥିବା ଲୋକମାନଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ଆହୁରି ଖରାପ କରିବାର ଆଶଙ୍କା ରହିଛି।

  ଦେଶୀ ମଦ କାରବାରରେ ଶାଶୁ-ବୋହୂ ଗିରଫ

ବର୍ତ୍ତମାନ ସକ୍ରିୟ ରୋଗୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ସୁଦ୍ଧା ବିପଦ ରହିଛି। ଆମ ଦେଶ ଓ ବିଶ୍ଵର କେତେକ ଅଞ୍ଚଳରେ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତାମୂଳକ ବ୍ୟବହାରର କଡ଼ାକଡ଼ି ଅନୁପାଳନ ହୋଇ ନ ଥିବାରୁ ସେସବୁ ଅଞ୍ଚଳରେ ପୁନଃସଂକ୍ରମଣ ଦେଖା ଦେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳିରେ ବାଣ ଫୁଟାଇବା ଓ ବାଣ ବିକ୍ରିକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମତାମତ ଦିଅନ୍ତୁ ।