ନଡ୍ଡାଙ୍କ ଟିମ୍‌ରେ ୪ ଓଡିଆ : ଅପରାଜିତାଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା ଆଜି ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି। ଦଳ ପକ୍ଷରୁ ଜାରି କର୍ମକର୍ତ୍ତାଙ୍କ ତାଲିକା ଅନୁସାରେ ସାଂଗଠନିକ ମହାସଚିବ ଭାବେ ବିଏଲ ସନ୍ତୋଷଙ୍କ ସମେତ ଜାତୀୟ ଉପସଭାପତି ଭାବେ ୧୨ ଜଣ, ଜାତୀୟ ସାଧାରଣ ସମ୍ପାଦକ ପଦବୀରେ ୮ ଜଣ, ଜାତୀୟ ସମ୍ପାଦକ ୧୩ ଜଣ, ମୁଖପାତ୍ର ୨୩ ଜଣ ଓ କୋଷାଧ୍ୟକ୍ଷ ଭାବେ ଦୁଇ ଜଣଙ୍କୁ ନିଯୁକ୍ତି ମଳିଛି। ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ଜାତୀୟ ଉପସଭାପତି ପଦ ବଜାୟ ରହିଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଦଳର ସମ୍ପାଦକ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଦଳର ମୁଖପାତ୍ର ଟିମରେ ସାମିଲ କରାଯାଇଛି।

ସେହିପରି ଦଳର ଜାତୀୟ ଯୁବମୋର୍ଚ୍ଚା ସଭାପତି ଭାବେ କର୍ଣ୍ଣାଟକର ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ନିଯୁକ୍ତି ମିଳିଛି। ଏହାଛଡା ଡଃ କେ.ଲକ୍ଷ୍ମଣ ଓବିସି ମୋର୍ଚ୍ଚା ସଭାପତି ହୋଇଥିବା ବେଳେ ଲାଲସିଂହ ଆର୍ଯ୍ୟା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି, ସାଂସଦ ସମୀର ଓରାଓଁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି, ସାଂସଦ ରାଜକୁମାର ଚହଁର କୃଷକ ମୋର୍ଚ୍ଚାର ସଭାପତି, ଜମାଲ ସିଦ୍ଦିକ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଏବଂ ଆଇଟି ଓ ସୋସିଆଲ ମିଡିଆ ଇନଚାର୍ଜ ଭାବେ ଅମିତ ମାଲବ୍ୟଙ୍କୁ ନିଯୁକ୍ତି ମିଳିଛି।

ଦଳର ମୁଖ୍ୟ ମୁଖପାତ୍ର ଓ ମିଡିଆ ଇନଚାର୍ଜ ଭାବେ ଅନୀଲ ବାଲୁନୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟ ମୌଖଙ୍କୁ ମିଡିଆ ସହ ଇନଚାର୍ଜ କରାଯାଇଛି। ମୁଖପାତ୍ର ଟିମରେ ଥିବା ମୋଟ ୨୩ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ଦୁଇଜଣ ସ୍ଥାନ ପାଇଛନ୍ତି। ଦଳର କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ସୁଧୀର ଗୁପ୍ତା ଓ ସେଣ୍ଟ୍ରାଲ ଅଫିସ ସେକ୍ରେଟାରୀ ଭାବେ ମହେନ୍ଦ୍ର ପାଣ୍ଡେ ମିଳିଛି ଦାୟିତ୍ୱ।

ଦଳର ୧୧ଜଣ ଉପସଭାପତିଙ୍କ ମଧ୍ୟରେ ରହିଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂହ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରଏ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ ଚୌବା ଆଓ ଓ ଅବଦୁଲ୍ଲା କୁଟ୍ଟୀ। ଜାତୀୟ ସାଧାରଣ ସମ୍ପାଦକ ୮ ଜଣଙ୍କ ମଧ୍ୟରେ ଭୂପିନ୍ଦର ଯାଦବ, ଅରୁଣ ସିଂ, କୈଳାସ ବିଜୟବର୍ଗୀୟ, ଦୁଷ୍ମନ୍ତ କୁମାର ଗୌତମ, ଡି ପୁରନ୍ଦେଶ୍ୱରୀ, ସିଟି ରବି, ତରୁଣ ଚୁଙ୍ଗ ଓ ଦିଲ୍ଲୀପ ସାଇକିଆକୁ ସାମିଲ କରାଯାଇଛି।

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବିଜେପି ଜାତୀୟ ସଭାପତି ଶ୍ରୀ ନଡ୍ଡା ନବଘୋଷିତ କର୍ମକର୍ତ୍ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ମତାମତ ଦିଅନ୍ତୁ ।