ନାଇଟ୍‌ କର୍ଫ୍ୟୁ ଓ ଲକଡାଉନ ନୁହେଁ ଟିକାକରଣ କରୋନା ଲହରକୁ ଧିମା କରିବ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢାଇଛି। ଦାନକୁ ସଂକ୍ରମଣ ୫୦ ହଜାର ଟପିଛି। ଏଭଳି ପରିସ୍ଥିତିରେ କରୋନା ଲହରକୁ ରୋକିବା ପାଇଁ ପୁଣିଥରେ ନାଇଟ କର୍ଫ୍ୟୁ ଓ ଲକଡାଉନ ଭଳି ପଦକ୍ଷେପ ନିଆଯାଇପାରେ ବୋଲି ପ୍ରଶ୍ନ ଉଠିଛି। କିନ୍ତୁ କେନ୍ଦ୍ର‌ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ କହିଛନ୍ତି ନାଇଟ୍‌ କର୍ଫ୍ୟୁ ଓ ସପ୍ତାହାନ୍ତ ଲକଡାଉନ ସଂକ୍ରମଣ ଉପରେ ଅଧିକ ପ୍ରଭାବ ପକାଇ ପାରିବ ନାହିଁ। କେବଳ ଟିକାକରଣ କାର୍ଯ୍ୟକ୍ରମ ଦେଶରେ କରୋନା ଲହରକୁ ଧିମା କରିବାରେ ସହାୟକ ହେବ। ତେଣୁ ଲୋକମାନେ କରୋନା କଟକଣା ମାନି ଚଳିବା ଉଚିତ। ସାମାଜିକ ଦୂରତା ବଜାୟ ରଖିଲେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବ ନାହିଁ।

ହର୍ଷବର୍ଦ୍ଧନ କହିଛନ୍ତି ସରକାର ଖୁବଶୀଘ୍ର ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ଲୋକଙ୍କ ବୟସ କମ କରିବେ। ହେଲେ ଆମର ପ୍ରଥମ କର୍ତ୍ତବ୍ୟ ହେଲା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କ ଉପରେ ଫୋକସ କରିବା। ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ସରକାର ୨୪ ଘଣ୍ଟା କେମିତି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ଓ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ ତା’ ଉପରେ କାମ କରୁଛନ୍ତି। ବୈଜ୍ଞାନିକ ପଦ୍ଧତିକୁ ଆଧାର କରି ଭାରତ ଆରମ୍ଭରୁ କରୋନା ବିରୋଧରେ ଲଢ଼େଇ କରି ଚାଲିଛି। ଆମର କଣ୍ଟେନମେଣ୍ଟ ଶୈଳୀକୁ ସାରା ବିଶ୍ୱ ପ୍ରଶଂସା କରିଛି। ଏହାକୁ ସାଇଣ୍ଟିଫିକ୍ ଇନପୁଟ୍ ଆଧାରରେ ଲାଗୁ କରାଯାଇଥିଲା।

ସେ କହିଲେ କରୋନା ରୂପ ବଦଳାଉଛି କି ନାହିଁ ତାହା ଜାଣିବା ପାଇଁ ଆରମ୍ଭରୁ ଜେନୋମ ସିକ୍ୱସିଂର ବ୍ୟବହାର କରାଯାଉଛି। ବିଭିନ୍ନ ପର୍ଯ୍ୟାୟର ଦେଶକୁ ମହାମାରୀ ପ୍ରବେଶ କରିଥିବାରୁ ଆମେ ଏହାକୁ ଲହର କହିଥାଉ। କୋଭିଡ କାଳରେ ତାହାହିଁ ଘଟିଛି। ଆମେରିକା ଓ ୟୁରୋପକୁ କରୋନାର ଦ୍ୱିତୀୟ ଲହର ଅସ୍ତବ୍ୟସ୍ତ କରିଥିବା ଆମେ ସମସ୍ତେ ଦେଖିଛେ। ତେଣୁ ଭାରତକୁ ମଧ୍ୟ ଦ୍ୱିତୀୟ ଲହର ଆସିଛି। ଏହାକୁ ମୁକାବିଲା କରିବୁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button