ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡା : ଶିକ୍ଷାଗତ ଯୋଗ୍ୟତା ନଥାଇ ଶିଶୁରୋଗ ଚିକିତ୍ସକ ସାଜି ଲୋକଙ୍କୁ ଠକି ଚାଲିଥିବା ଜଣେ ନକଲି ଡାକ୍ତର ଆର.କେ.ସାହୁ ଆର.କେ.ସାହୁଙ୍କୁ ବେଲପାହଡ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଝାରସୁଗୁଡା ଜିଲ୍ଲା ବେଲପାହାଡ ସହରର ଏକ ଔଷଧ ଦୋକାନରେ ଦୀର୍ଘଦିନ ହେଲା ଆର.କେ.ସାହୁ ନିଜକୁ ଶିଶୁ ରୋଗ ବିଶେଷଜ୍ଞ କହି ଛୋଟ ଶିଶୁଙ୍କ ଚିକିତ୍ସା କରୁଥିଲେ। ବଡ ହୋର୍ଡିଂରେ ଚିକିତ୍ସକ ଭାବେ ଲେଖିଥିଲେ ନାଁ। ଦୁଇଦିନ ତଳେ କୋଭିଡ ନିୟମ ଭଙ୍ଗ କରୁଥିବା ଦୋକାନୀଙ୍କ ଉପରେ କଡା ନଜର ରଖିଥିବା ବେଲପାହାଡ ପୋଲିସ ହଠାତ୍ ଦୁଇଟି ଔଷଧ ଦୋକାନରେ ଚଢାଉ କରିଥିଲେ। ସେଠାରେ ବସୁଥିବା ଡାକ୍ତରଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଥିଲା।

ସେମାନଙ୍କ ମଧ୍ୟରୁ ଜଣେ ସାର୍ଟିଫିକେଟ ଯାଞ୍ଚ ପାଇଁ ପ୍ରଶାସନକୁ ସହଯୋଗ କରିଥିଲେ। କିନ୍ତୁ ଡାକ୍ତର ଆର.କେ.ସାହୁ ସହଯୋଗ କରି ନଥିଲେ। ପୋଲିସର ହସ୍ତକ୍ଷେପ ଯୋଗୁଁ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ନିଜେ ଡାକ୍ତରୀ ପାଠ ପଢି ନଥିବା ଓ ଯୁକ୍ତ ଦୁଇ ପାଠ ପଢିଥିବା ସ୍ୱୀକାର କରିଥିଲେ। ଶନିବାର ବେଲପାହାଡ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବସୁଥିବା ଔଷଧ ଦୋକାନକୁ ସିଲ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading

Comments are closed.