ନକଲି ହେଲମେଟ୍ ବିକ୍ରି ଉପରେ ଅଙ୍କୁଶ ଲଗାଯାଉ

ଭୁବନେଶ୍ଵର : ରାଜ୍ୟରେ ଟ୍ରାଫିକ ନିୟମ କଡାକଡି। ନୂଆବର୍ଷ ଠାରୁ ଲାଗୁ ହୋଇଛି ଡବଲ ହେଲମେଣ୍ଟ ନିୟମ। ଏହାର ଉଲଂଘନ ପାଇଁ ତିନିମାସ ଲାଇସେନ୍ସ ବାତିଲ ଓ ଏକ ହଜାର ଟଙ୍କା ଜରିମାନା। ଏ ସମ୍ପର୍କରେ ଜନସାଧାରଙ୍କୁ ସଚେତନ କରାଯାଉଛି। ବାଇକ ଚାଳକ କେଉଁ ହେଲମେଣ୍ଟ ପିନ୍ଧିବା ଆବଶ୍ୟକ ଅଧିକାରୀମାନେ ଟ୍ଵିଟକରି ପରାମର୍ଶ ଦେଉଛନ୍ତି। କିନ୍ତୁ ବଜାରରେ ନକଲି ଓ ଶସ୍ତା ହେଲମେଣ୍ଟ ବିକ୍ରି ହେଉଥିଲେ ହେଁ ଏହା କାହାର ନଜର ପଡୁନି କେମିତି ?
ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ କିଛିଦିନ ତଳେ ନକଲି ଖାଇବା ତେଲ ଜବତ ହୋଇଥିଲା। ଏହି ଘଟଣା ପରେ କଟକ ସହର ଓ ଆଖପାଖ ଅଞ୍ଚଳରୁ ଏକାଧିକ ନକଲି ସାମଗ୍ରୀ ତିଆରି କାରଖାନ ଠାବ କରାଯାଇଛି। ଏସବୁ ଦୀର୍ଘଦିନ ଚାଲିଥିଲା। ଏହି ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ବଜାରକୁ ଛଡା ଯାଉଥିଲା। ଅସଲି ବ୍ରାଣ୍ଡରେ ନାଁରେ ବିକ୍ରି ହେଉଥିଲା ନକଲି ସାମଗ୍ରୀ। ଲୋକେ ଏହାକୁ କିଣି ଖାଉଥିଲେ। ଏ କଥା କାହାକୁ ଜଣାନଥିଲା ବୋଲି କୁହାଯାଇ ପାରିବ ନାହିଁ। କାରଣ ବର୍ତ୍ତମାନର କଟକ ଡିସିପି ଜାଣିପାରିଲେ ନକଲି କାରଖାନା ଚାଲୁଛି। ପୂର୍ବ ଡିସିପିମାନେ ଜାଣିପାରୁନଥିଲେ କେମିତି ? ଏହାକୁ ନେଇ ଯେକେହି ପ୍ରଶ୍ନ ଉଠାଇବ। କେବଳ ସେତିକି ନୁହେଁ ଥାନା ଅଧିକାରୀମାନେ ତାଙ୍କ ଅଞ୍ଚଳରେ ନକଲି କାରଖାନା ଚାଲୁଥିବା ଯଦି ଜାଣି ପାରୁନଥିଲେ ଆଇନ ଶୃଙ୍ଖଳା କିପରି ସମ୍ଭାଳୁଥିଲେ ?
ଏସବୁ ଲେଖିବାର କାରଣ ହେଲା ବାଇକ ଆରୋହୀଙ୍କୁ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଚ୍ୟୁସନ୍ର ହେଲ୍ମେଟ୍ ପିନ୍ଧିବାକୁ ଦିଆଯାଉଛି ପରାମର୍ଶ। ଆସନ୍ତା ଜୁନ୍ ୧ ତାରିଖରୁ ଆଇଏସ୍ଆଇ ମାର୍କା ହେଲ୍ମେଟ୍ ବାଧ୍ୟତାମୂଳକ ହେବ। ବାଇକ୍ ପଛରେ ବସିଥିବା ଆରୋହୀ ହେଲମେଟ୍ ପିନ୍ଧିବେ। ଲୋକେ ଏବେଠାରୁ ରାସ୍ତାକଡ଼ରେ ମିଳୁଥିବା ଶସ୍ତା ଓ ନକଲି ହେଲ୍ମେଟ୍ ପିନ୍ଧି କାମ ଚଳେଇ ନେଉଛନ୍ତି। ଆଗକୁ ଏଥିପାଇଁ ତଣ୍ଡ ଗଣିବେ। ତେଣୁ ଏହି ଶସ୍ତା ଓ ନକଲି ହେଲ୍ମେଟ୍ ବିକ୍ରିକୁ ବନ୍ଦ କରାଯାଉନି କାହିଁକି ? ଏହା ଯେଉଁମାନଙ୍କର ଦାୟିତ୍ଵ ସେମାନେ ଚୁପ ବସିଛନ୍ତି କାହିଁକି ? କ’ଣ ଲୋକେ ହେଲ୍ମେଟ୍ କିଣି ସାରିବା ପରେ ଫାଇନ ଆଦାୟ ପାଇଁ ଅପେକ୍ଷା କରାଯାଇଛି ? ନକଲି ସାମଗ୍ରୀ ବିକିଲେ ଚଢଉ ହେଉଛି। ନକଲି ହେଲ୍ମେଟ୍ ବିକ୍ରି ପାଇଁ ସୁଯୋଗ ଦିଆଯାଉଛି କାହିଁକି ?
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଶସ୍ତା ଓ ନକଲି ହେଲ୍ମେଟ୍ରେ ଲାଗିଛି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଚ୍ୟୁସନ୍ର ଷ୍ଟିକର। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏହି ହେଲ୍ମେଟ୍ ବିକ୍ରି ହେଉଛି। ସାଧାରଣ ଲୋକଟି କେମିତି ଜାଣିବ ଏହା ଅସଲି ନା ନକଲି ? ତେଣୁ ଜୀବନ ରକ୍ଷା ପାଇଁ ହେଲ୍ମେଟ୍ ପିନ୍ଧିବାକୁ ପରାମର୍ଶ ଦେଇ ବସିଗଲେ ହେବନାହିଁ। ଜନତାଙ୍କ ସ୍ଵାର୍ଥ ଦୃଷ୍ଟିରୁ ନକଲି ହେଲ୍ମେଟ୍ ବିକ୍ରି ଉପରେ ଅଙ୍କୁଶ ଲାଗିବା ଉଚିତ। ଏହାକୁ ରୋକାନଗଲେ ଅସାଧୁ ବେପାରୀଙ୍କୁ ବ୍ୟାବସାୟ ପାଇଁ ସହଯୋଗ କରାଯାଉଛି ବୋଲି ଧରି ନିଆଯିବ।