Breaking Newsବିଶେଷ

ନକଲି ନେତା : ନିରୀହ ଜନତା

॥ ମାୟାଧର ନାୟକ ॥

ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ-ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ। ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତ୍ତି। ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି ବୃତ୍ତି। ନେତୃତ୍ୱ କହିଲେ ଆମ ଆଖି ଆଗରେ ଯେଉଁ ବ୍ୟକ୍ତିତ୍ୱର ଝଲକ ଝଟକିଉଠେ, ଯେଉଁ ଭାବଭୂର୍ତି ଫୁଟିଉଠେ-ସେ ନେତୃତ୍ୱ ଆଜିର ରାଜନୀତିରେ ଖୋଜି ପାଇବା କାଠିକର ପାଠ। ବରଂ ନକଲି ନେତୃତ୍ୱ ନିୟନ୍ତ୍ରଣାଧୀନ ସାଂପ୍ରତିକ ଭାରତୀୟ ରାଜନୀତି। ଏ ରାଜନୀତି ରକ୍ତପାତର ରାଜନୀତି, ଗୁଣ୍ଡାଗର୍ଦ୍ଦିର ରାଜନୀତି, କଳାଟଙ୍କାର ରାଜନୀତି, ନୀତିନୈତିକତାହୀନ ଶଠ-ଶେଠମାନଙ୍କର ରାଜନୀତି। ଏ ରାଜନୀତି ଜନସାଧାରଣଙ୍କୁ ଭୁଲାଏ, ଭଣ୍ଡାଏ, ଭୂଆଁ ବୁଲାଏ ବରାବର। ଏ ରାଜନୀତି ସ୍ୱବିରୋଧର ରାଜନୀତି-ଯେଉଁଠି ଗରିବକୁ ଭତା ନ ମିଳୁ ପଛେ ଧନୀକୁ ମିଳେ ନିଶ୍ଚିତ ନିରାପତ୍ତା। ମୂଲିଆକୁ ମଜୁରି ନ ମିଳୁ ପଛେ ମୁନାଫାଖୋର୍ କଳାବଜାରୀକୁ ମିଳେ ନିରଙ୍କୁଶ ମର୍ଯ୍ୟାଦା! ଭାରତବର୍ଷର ରାଜନୀତି ଆଜି ନକଲି ନେତା ଓ ନିଷ୍ଠୁର ବଣିକବର୍ଗଙ୍କର ଗୋଟାଏ ଅସାଧୁ ମେଂଟ୍ !

ଭାରତୀୟ ରାଜନୀତିରେ ଏକ ସମାନ୍ତରାଳ ଗଣତାନ୍ତ୍ରିକ ବିରୋଧୀ ଧାରାର ପରୀକ୍ଷା ନିରୀକ୍ଷା ବ୍ୟର୍ଥ ସାବ୍ୟସ୍ତ ହୋଇଆସିଛି ବରାବର। ଏଠି ବହୁ ଦଳ, ବହୁ ଧ୍ୱଜା, ବହୁ ଧ୍ୱନି-ଅଜସ୍ର ଚିହ୍ନ ବା ପ୍ରତୀକ-କିନ୍ତୁ ନିରେଖି ଦେଖିଲେ ପରସ୍ପର ସହିତ ଲଢାଲଢି ହେଉଥିବା ଏସବୁ ଦଳର ଚରିତ୍ର ସଂପୂର୍ଣ୍ଣ ସମାନ। ବିଭିନ୍ନ ସାଇନ୍‌-ବୋର୍ଡ ଝୁଲାଇ ରାଜୀନତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତା ଦଲାଲ୍‌ମାନେ। ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରିର ରାଜନୀତି, ଚାନ୍ଦା ଭେଦାର ରାଜନୀତି, ଗୋଲକ ଧନ୍ଦାର ରାଜନୀତି। ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳରେ। ଆଜି ଯିଏ ବିରୋଧୀ ଶିବିରରେ ଥାଇ ବଦ୍ଧମୁଷ୍ଟି ଉତୋଳନ କରୁଛି, କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟ୍‌ଦାରମାନଙ୍କ ସହିତ। ଯେହେତୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗୀ ନାହିଁ। ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପର୍ବ ! ଦଳବଦଳର ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା। କାହାକୁ ବିଶ୍ୱାସ କରିବା ? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା ? ନା, ଆଜିର ଭାରତୀୟ ମୂଳଦୁଆ ଛିଡା ହୋଇଛି ଗୋଟାଏ ବିରାଟ ବିଶ୍ୱାସଭଙ୍ଗ ଉପରେ ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି। ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍ ଦେଶକୁ। ଯିଏ ଯେତେ ବେଶି ଦୁର୍ନୀତି କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ ଛାମୁନେତା। ଯିଏ ଯେତେ ବେଶି ଗୁଣ୍ଡା ପୋଷି କାରିଲା, ସିଏ ହେଲା ସେତେବଡ କରିତ୍‌କର୍ମୀ। ଏଇ ହେଉଛି ଆଜିର ହାଲ୍‌ଚାଲ୍।

ପ୍ରିୟ ବନ୍ଧୁଗଣ, ଆପଣମାନେ ଲକ୍ଷ୍ୟ କରନ୍ତୁ ଏ ରାଜନୀତି କାହାର ? ଏ ନେତାସବୁ କାହାର ? ଏ ଶାସନ ଓ ପ୍ରଶାସନ କାହାର ? ଆପଣମାନେ ଏ ପ୍ରଶ୍ନ ବାରମ୍ବାର ପଚାରନ୍ତୁ ସେମାନଙ୍କୁ-ଯେଉଁମାନେ କେବଳ ନିର୍ବାଚନ ବେଳେ ଆସି ମୁହଁ ଦେଖାନ୍ତି। ଆପଣମାନଙ୍କୁ ଦୁଆରେ ବଡ ବଡ କଥା କହନ୍ତି, ଭାଷଣବାଜି କରନ୍ତି, ମିଥ୍ୟ ଶପଥପାଠ କରନ୍ତି ବିନା ସଂକୋଚରେ। ଆମେ କ’ଣ ସେମାନଙ୍କ ବରଦାସ୍ତ କରିଚାଲିଥିବା ଏମିତି ସବୁଦିନେ ? ନିଜେ ଭୁଖା ରହି ମାନି ନେଉଥିବା ସେମାନଙ୍କ କପଟପସାକୁ ? ମୁଖା ଖସାଇବା ନାହିଁ ସେମାନଙ୍କ ମୁହଁରୁ ?

ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ଯୋଜନାର ଜାଲ ବୁଣନ୍ତି, ଯେଉଁମାନେ ସୌଖିନ ଡ୍ରଇଂରୁମ୍‌ର ରେଶମୀ ପର୍ଦ୍ଦା ଅନ୍ତରାଳରେ ଥାଇ ବୌଦ୍ଧିକ ସଂଳାପ ଶୁଣାନ୍ତି, ଯେଉଁମାନେ ମାର୍ବଲ ମହଲର କାଠ-କୋଠରୀରେ ଶୋଇ ହିସାବଫର୍ଦ୍ଦ ପଢନ୍ତି, ଯେଉଁମାନେ ନିଭୃତ ମନ୍ତ୍ରଣାକକ୍ଷରେ ରାଜନୀତିର ରୂପରେଖ ବଦଳାଇବାର ମସୁଧା କରନ୍ତି- ସେମାନେ ଲିଭାଇବେ ନାହିଁ ଏ ନିଆଁ। ଏ ନିଆଁ ଲିଭାଇବେ ଆପଣମାନେ। ଜନଜାଗରଣର ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହେଲେ ହିଁ ଭାରତବର୍ଷର ଭାଗ୍ୟ ବଦଳିବ। ଭବିଷ୍ୟତ ବଦଳିବ-ବ୍ୟବସ୍ଥା ବଦଳିବ-ବଦଳିବ ଏ ଉତପ୍ତ ଅବସ୍ଥା।

ଆଜି ଭାରତବର୍ଷର ଦିଗନ୍ତରେ ଘନୀଭୂତ ଅନ୍ଧକାର ରାତ୍ରି। ଯେଉଁଠି ଚାହିଁଲେ ବି କେବଳ ଗଦାଗଦା ନୈରାଶ୍ୟ, ଆତଙ୍କର ଅପଚ୍ଛାୟା, ସ୍ୱପ୍ନଭଙ୍ଗର କରୁଣ କ୍ରନ୍ଦନ ! ଅସୁସ୍ଥ ରାଜନୀତି, ଦୁଃସ୍ଥ ଅର୍ଥନୀତି ପଙ୍ଗୁ କରିଦେଇଛି ଭାରତୀୟ ସମାଜ ବ୍ୟବସ୍ଥାକୁ। ଆମେ ସୀମାନ୍ତର ଶତ୍ରୁମାନଙ୍କୁ ସାମ୍ନା କରିପାରିଛୁ, ମାତ୍ର ଅନ୍ତରାଳର ଅରାତିମାନଙ୍କୁ ଚିହ୍ନି ବି ପାରିଲୁନାହିଁ ଏଯାବତ୍। ଅସତ୍ ରାଜନେତା ଓ ଅସାଧୁ ପୁଞ୍ଜିପତିମାନଙ୍କର ଅଶୁଭ ମୈତ୍ରୀ ଅଣନିଃଶ୍ୱାସୀ କରିସାରିଛି ଭାରତବର୍ଷକୁ। ଜନପ୍ରତିନିଧି ଭାବରେ ଆମେ ଯେଉଁମାନଙ୍କୁ ପଠାଉଛି ପାର୍ଲାମେଂଟକୁ, ସେମାନଙ୍କ ମଧ୍ୟରୁ ଅଧିକାଠଶ ଏଇ ପୁଞ୍ଜିପତିମାନଙ୍କର ପୁତ୍ତଳିକା ପାଲଟୁଛନ୍ତି ସେଠି। ପ୍ରତିବାଦର ପରମ୍ପରାରେ ଘୁଣ ଧରୁଛି, ରାଜନୀତି ପାଲଟୁଛି ବଚସ୍ମର ଓ ବଶମ୍ବଦମାନଙ୍କର ସୁବିଧାବାଦୀ ରଣନୀତି !

ଆମ ଶାସନର ଆସନରେ ଏଯାବତ୍ କେବଳ ଜାରୀ ରହିଛି ନକଲି ନେତୃତ୍ୱର ନବାବୀରାଜ। ନୀରୀହ ଜନଗଣଙ୍କ ନିଷ୍ଠା ଓ ପତିଆରାକୁ ପୃଷ୍ଠଦେଶରୁ ଯେଉଁ ଚତୁର ଛୁରିକାଘାତର ପର୍ବ ଆରମ୍ଭ ହୋଇଛି। ତାର ଅନ୍ତ ପାଇଁ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ଆଖିପିଛୁଳାକେ ଖତମ କରିଦେବାର ଜଘନ୍ୟ ଉଦ୍ୟମ ଆଜି ବି ପରିଲକ୍ଷିତ ହେଉଛି। ଆଜି ବି ଅସଲ ନେତୃତ୍ୱ ଅସହାୟ ଅଭିମନ୍ୟୁ ପରି ରାଜନୀତିର ରଣାଙ୍ଗନରେ ଏଇ ତଥାକଥିତ ରଥୀ ମହାରଥୀମାନଙ୍କ ରଚିତ ଚଂଚକତାପୂର୍ଣ୍ଣ ଚକ୍ରବ୍ୟୁହର ଚକ୍ରାନ୍ତ ମଧ୍ୟରେ ବାଟ ଖୋଜି ପାଉନି।

ଦୁର୍ନୀତିକୁ ବର୍ତ୍ତମାନ କରିଦିଆଗଲାଣି ଜାତୀୟକରଣ। ଦୁର୍ନୀତିର ଦୁର୍ଦ୍ଦାନ୍ତ ଦୁର୍ଗନାୟକମାନେ ଆଉ କେତେ କାଳ ଭାରତକୁ ନିଜର ଜାଗିର ବା ଜମିଦାରୀ କରି ରଖିବେ ? ଯେଉଁ ଭୂଇଁରେ ନିର୍ଭୟରେ ନାରୀ ଆଜି ବାଟ ବି ଚାଲିପାରେ ନାହିଁ – ମେହେନତୀ ମଣିଷ ତା ‘ନ୍ୟାର୍ଯ୍ୟ ମର୍ଯ୍ୟାଦା’ ପାଇପାରେ ନାହିଁ – ବଂଚିତ ଓ ପ୍ରବଚିଂତ ବର୍ଗ ପ୍ରାଣପଣ କରି ସୁଦ୍ଧା ସଠିକ ନ୍ୟାୟ ହାସଲ କରିପାରେ ନାହିଁ, ସେ ଭୂଇଁରେ ବିପ୍ଲବର ବିହନ ବୁଣିବା ପାଇଁ ଅସଲ ମଣିଷମାନେ ଜୀବନକୁ ବାଜି ଲଗାଇ ମିଳିତ ହେବା ଦରକାର। ଯାହା ଚାଲିଛି ସେଇ ସ୍ରୋତରେ ସୁବିଧାରେ ଭାସିବା ପାଇଁ କିଛି ଦଳ ଲୋକ ପ୍ରତିଯୋଗିତା କରୁଛନ୍ତି। ଦଳେ ଅନେଇଛନ୍ତି ତାଙ୍କ ଭାଗ୍ୟରେ କେବେ ଶିକା ଛିଣ୍ଡିବ ? ସଂଗ୍ରାମୀ ସଚ୍ଚାଦଳ ବୋଲି ନିଜ ଡେଙ୍ଗୁରାକୁ ନିଜେ ପିଟୁଥିବା ଲୋକ କେତେଜଣ ହାଲିଆ ହୋଇଗଲେଣି। ତାଙ୍କ ଡେଙ୍ଗୁରା ବି ଫୁଟିଗଲାଣି। ସେ ଡେଙ୍ଗୁରାର ଶଦ୍ଦ ବିକଟାଳ ହୋଇଗଲାଣି। ଏମାନେ ପରସ୍ପରକୁ ଟାହିଟାପରା କରିବାରେ, କାଦୁଅ ଫୋପାଡିବାରେ ସମୟ ନଷ୍ଟ କରୁଛନ୍ତି।

ଏହିସବୁ ଦଳମାନଙ୍କର ତାମସା ଓ ତାଣ୍ଡବ ନୃତ୍ୟ ଦେଖି ଗାଁ ଗଣ୍ଡା ସହର ବଜାରରେ ଥିବା ସଂଖ୍ୟାଧିକ ଲୋକଙ୍କ ମନରେ ପ୍ରବଳ ବିତୃଷ୍ଣା, ଘୃଣା ଓ ହତାଶାଭାବ। ସେମାନେ କୌଣସି ଦଳ ବା ନେତାଙ୍କୁ ବିଶ୍ୱାସ କରୁନାହାଁନ୍ତି । ବିକଳ୍ପ ଖୋଜୁଛନ୍ତି। ଯୁଆଡକୁ ଅନଉଛନ୍ତି – ଯାହାକୁ ଦେଖୁଛନ୍ତି-ସବୁ ଏକାଭାଡିର ପାରା ଭଳି ଦେଖା ଯାଉଛନ୍ତି। ସେମାନେ ବିକଳ ହୋଇ ଖୋଜୁଛନ୍ତି, କିଏ ବାହାରନ୍ତା କି ? ପାପୀ ଭଣ୍ଡ ପ୍ରତାରକମାନଙ୍କୁ ସାବାଡ କରନ୍ତା, ମଣିଷ ଶାନ୍ତିରେ ଟିକେ ନିଃଶ୍ୱାସ ମାରନ୍ତେ।

କୋଟି କୋଟି ଲୋକ ଭାବୁଛନ୍ତି କିଏ ଜଣେ ବାହାରି ଉପକଥାର ଯାଦୁକର ପରି ତାଙ୍କ ପାଇଁ ସବୁକିଛି କରିଦିଅନ୍ତା। ଅନେକ ଲୋକ ବାହାରିଥିଲେ। ଲୋକମାନେ ତାଙ୍କୁ ବିଶ୍ୱାସ କରି ପଛରେ ଗୋଡାଇଲେ। ତାଙ୍କ ପାଇଁ ସବୁକିଛି କରିଛନ୍ତି, କିନ୍ତୁ ଫଳ ଓଲଟା ପାଇଁ ହତାଶା ପଙ୍କରେ ପଡିଛନ୍ତି। ଯେଉଁ ପ୍ରକାର ଧାରା ଚାଲିଛି, ପ୍ରକ୍ରିୟା ଚାଲିଛି- ସେଥିରୁ ମନେହେଉଛି ଆଜି ଭାରତ ଯେମିତି ଗୋଟାଏ ଅନ୍ଧାରୀ ମୁଲକ। ଏଠି ସମସ୍ତଙ୍କ ଓଠରେ ଥୁକୁଲ୍ । ଆଖିରେ ପଟି, କାନରେ ପାପୁଲି। ନକଲି ନେତୃତ୍ୱ କେବେ ଚାହୁଁନି- ବ୍ୟବସ୍ଥା ବଦଳୁ। କାରଣ ବ୍ୟବସ୍ଥା ବଦଳିଲେ ନକଲି ନେତୃତ୍ୱ ବଦଳିବାକୁ ବାଧ୍ୟ।

ବର୍ତମାନ ସାରା ଦେଶରେ ଗାଁ ଗଣ୍ଡା ସହର ବଜାର ସବୁଆଡେ ଚାଷୀ, ଶ୍ରମିକ, ଛାତ୍ର ଯୁବକ, ମିଳିଳା, କୃଷି ଶ୍ରମିକ ପ୍ରବଳ ଅଶାନ୍ତି, ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ। ସେମାନେ ଥରେ ଏକାଠି ହେଲେ, ସଠିକ୍ ନେତୃତ୍ୱ ମିଳିଲେ ସମସ୍ତଙ୍କୁ ସାବାଡ କରିଦେବେ। ହେଲେ ନେତା କାହିଁ ? ଯେଉଁ ନେତାମାନେ ଠାଏ ଠାଏ ସେମାନଙ୍କୁ ମତଉଛନ୍ତି, ତତଉଛନ୍ତି, ବାଟ ଜଣାନଥିବାରୁ ଅବାଟରେ ନେଇ ହତାଶିଆ କରି ପକାଉଛନ୍ତି। ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି। ପରିବର୍ତ୍ତନ ପାଇଁ ନୂଆ କିଛି କଥା କହିଲେ, ଏକଦମ୍ ଠିକ୍ ବୋଲି କହୁଛନ୍ତି; କିନ୍ତୁ ହଠାତ୍ ବାହାରି ପାରୁନାହାଁନ୍ତି। କିନ୍ତୁ ଦୁର୍ନୀତି ଚଂଚକତାରେ କୋଟି କୋଟି ଟଙ୍କା ମହଜୁଦ୍ ରଖୁଥିବା ମତଲବୀ ନେତୃବର୍ଗଙ୍କ ନିଜସ୍ୱ ଭଡାଟିଆ ଗୁଣ୍ଡାବାହିନୀ ଏବଂ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି।

ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ପ୍ରଥମ ଲକ୍ଷଣ। ଯାହା ବାସ୍ତବ ସତ୍ୟ, ତାହା ନିଶ୍ଚିତ ସମ୍ଭବ। ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନ ହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବନାହିଁ। ରାଜନୀତିର ନୂଆ ରାସ୍ତା ଫିଟି ପାରିବ ନାହିଁ । ଆସନ୍ତୁ, ଗୋଟିଏ ମଂଚରେ ଏକାଠି ହେବା । ବଦ୍ଧ ମୁଷ୍ଟି ଉତୋଳନ କରିବା । କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ଶିବିର । ସଂଗ୍ରାମ ଆରମ୍ଭ ହେବ ନୂତନ ଶୈଳୀରେ, ଯେଉଁ ସଂଗ୍ରାମର ଶାଣିତ ଶସ୍ତ୍ର ହେବ : ନୂଆ ଦୃଷ୍ଟି, ନୂଆ ଦର୍ଶନ, ନୂଆ ନେତୃତ୍ୱ, ନୂଆ ବିକଳ୍ପ ।

ହିଟ୍‌ଲର ଓ ମୁସୋଲିନୀ ଭଳି ନୃଶଂସ, ଦୁର୍ଦ୍ଦାନ୍ତ ଚରିତ୍ରସବୁ ଜନ ବିସ୍ଫୋରଣର ସ୍ଫୁଲିଙ୍ଗରେ ପାଉଁଶ ହୋଇଯାଇଛନ୍ତି । ଆଜି ଏ କୁଚକ୍ରୀ ଖଳନାୟକମାନଙ୍କୁ ଆମେ ଏବେ ଡରିବା କାହିଁକି । ଆମେ ସମସ୍ତେ ଏକାଠି ହେଲେ ଚିତ୍କାର ନ କରି ଫୁତ୍‌କାର ତୋଳିଲେ ପ୍ରତାରଣାର ଏ ପର୍ଯ୍ୟାୟ ମୁହୂର୍ତକ ମଧ୍ୟରେ ଧୂଳିସାତ୍ ହେବ । ବର୍ତ୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମରୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଧ୍ୱଂସ ମୁଖରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମର ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ।

ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ପ୍ରାଚୀନ ପ୍ରବୃଦ୍ଧ ଦେଶ ଓ ବହୁ ଐତିହାସିକ ଘୂର୍ଣ୍ଣିଝଡରୁ ବର୍ତି ଯାଇଥିବା ସମାଜ ଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟାଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର… ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ ? ନା, ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର। ସତ୍ ମନର ସ୍ୱପ୍ନ ଯଦି ସଂକଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସର୍ଜନା ଓ ସଂରଚନା ।

ଏଣୁ ବଂଧୁଗଣ ! ସୌଖିନ ବୈଠକଖାନାରେ ବୌଦ୍ଧିକ ବିତର୍କର ବାତାବରଣ ସୃଷ୍ଟି ନ କରି ଆସନ୍ତୁ ସମ୍ମୁଖ ଭାଗରେ ଅବତୀର୍ଣ୍ଣ ହେବା, କିତାବୀ ଦର୍ଶନକୁ ଘୋଷି ଉକାଳିବା ନିଶା ଛାଡି ଗାଁଗଣ୍ଡା, ବିଲବାଡି, ଖଣିଖାଦାନ, କଳକାରଖାନା, ସହର ବଜାରରେ ମେହନତି କରୁଥିବା ମଣିଷଙ୍କ ପାଖରେ ପହଂଚାଇ ଦେବା କର୍ମତତ୍ୱର ସମ୍ମିଶ୍ରିତ ଦର୍ଶନ। ଆମେ ନିକାଲି ଦେବା ଏ ନକଲି ରାତିର ଜରିଗୁଡା ଜହ୍ନ ଆଉ କାଗଜଫୁଲର କାରୁକାର୍ଯ୍ୟକୁ । ଆମେ ଚିରିଦେବା ନାହିଁ ନାହିଁର ନକ୍ସା । ଆମେ ଭରିଦେବା କୋଟି କୋଟି କଙ୍କାଳ ପ୍ରାଣରେ ନୂଆ ଆଶା, ନିଆରା ଭରସା । ନୀତି ନୈତିକତାର ନିର୍ଲଜ୍ଜ କଂସେଇମାନଙ୍କୁ ଆଜି ରାସ୍ତାକଡର ବତିଖୁଂଟରେ ଝୁଲାଇ ଦେବାର ବେଳ ଆସିଛି। ନିଷ୍ଠୁର ଜହ୍ଲାଦମାନଙ୍କ ଜଘନ୍ୟ ହିଂସାର ସାମ୍ରାଜ୍ୟରୁ ନିରୀହ ପ୍ରହ୍ଲାଦମାନଙ୍କୁ ପରିତ୍ରାଣ କରିବା ପାଇଁ ଜନ-ଜନାର୍ଦ୍ଦନଙ୍କୁ ନୃସିଂହ ଅବତାର ଧାରଣ କରିବାର ଆହ୍ୱାନ ଉପଗତ ହୋଇଛି । ଯେଉଁମାନେ ଏ ଭୂମିର ମଣିଷମାନଙ୍କୁ କଙ୍କାଳରେ ପରିଣତ କରିଛନ୍ତି, ସେମାନଙ୍କୁ କଠୋର ଶାସ୍ତି ଦେବାର ସମୟ ଆସି ପହଂଚିଯାଇଛି । ପରିବର୍ତ୍ତନର ପର୍ଯ୍ୟାୟ ଜନଗଣଙ୍କର ବିନା ଯୋଗଦାନରେ ସମ୍ଭବପର ନୁହେଁ ।

ଏହି ସମସ୍ୟା ଜର୍ଜରିତ ସମାଜକୁ ବଦଳାଇବାକୁ ହେଲେ ନୂଆ ଦୃଷ୍ଟିକୋଣ, ନୂଆ ଉତ୍ସାହର ସହ ସଂଘର୍ଷପଥରେ ଆଗେଇ ଯିବାକୁ ହେବ । ବେଇମାନୀ ଲୋକମାନେ ଆଜି ପର୍ଯ୍ୟନ୍ତ ଧୋକ୍କା ଦେଇ ଆସିଲେ । ଏଥିପାଇଁ ମନଖରାପ କରି ବସିରହିଲେ ହେବନାହିଁ । ଅତୀତରେ ଆପଣମାନେ ବହୁ କଷ୍ଟ ତ୍ୟାଗ ଆତ୍ମବଳୀଦାନ ଦେଇ ଯାହାସବୁ ସୃଷ୍ଟି କରିଥିଲେ, ସେ ସବୁ ଆଜି ଧ୍ୱଂସ ଆଡକୁ ପାଦ ବଢାଉଛି । ରୋକିବାକୁ ହେବ ଏ ରୁଗ୍‌ଣ ଧାରାକୁ । ପୁଣି ଆଉଥରେ ପ୍ରସ୍ତୁତ ହୋଇଯାଆନ୍ତୁ । ପଛକୁ ଫେରିଲେ ଅନ୍ଧାର । ଆଗକୁ ଚାହିଁଲେ ମୁକ୍ତିର ସକାଳ । ଶତାଦ୍ଦୀର ସଂକଳ୍ପ ଓ ସଂଘର୍ଷ ମଧ୍ୟରେ ଶତସହସ୍ର ସଂଗ୍ରାମୀଙ୍କ ଶହୀଦତ୍ୱ ବିନିମୟରେ ଯେଉଁ ଗଣତାନ୍ତ୍ରିକ ଅଧିକାର ହାସଲ କରି ଜନଗଣ ନୂତନ ସମାଜର ମୂଳଦୁଆ ପକାଇବାକୁ ଆଗେଇ ଯିବାର ଥିଲା – ତାହା ଆଜି ମୁକ୍ତ ପୁଞ୍ଜିବାଦର ପୁଚ୍ଛବାହକ ମୁନାଫାଖୋର୍ ମାଲିକ ଶ୍ରେଣୀର ଷଡଯନ୍ତ୍ରରେ ପଣ୍ଡ ହୋଇଯାଇଛି । ମାଲିକ ଶ୍ରେଣୀ କବଳିତ କରିଛି ରାଷ୍ଟ୍ରଯନ୍ତ୍ର; ଧାରଣ କରିଛି ଦମନର ନୂଆ ନୂଆ ଶକ୍ତିଶାଳୀ ହତିଆର । ସେହି ତୁଳନାରେ ଜନଗଣଙ୍କ ପ୍ରତିରୋଧର ଅସ୍ତ୍ର ପୁରୁଣା ହୋଇଯାଇଛି, କଳଙ୍କି ଧରିଯାଇଛି ସେଥିରେ । ସଂଗ୍ରାମର ନୂତନ ପର୍ଯ୍ୟାରେ ସେ ଆସ୍ତ୍ର ଆଜି ଅଚଳ, ଅକାମୀ । ସେଥିପାଇଁ ଆଜିର ଚତୁର ମାଲିକଶ୍ରେଣୀର ମୁକାବିଲା କରିବାରେ ପଛେଇ ଯାଇଛି ଜନବିପ୍ଲବର ଧାରା, ଶ୍ରମଜୀବୀ ବର୍ଗର ବିକ୍ଷୁବ୍ଧ ଆନ୍ଦୋଳନ । ପରାଜୟର ଗ୍ଲାନିରେ ଜର୍ଜରିତ ହୋଇ ପଡିଛି ମେହନତୀ ମଣିଷ ସମାଜ । ଏହି ଦୃଷ୍ଟିରୁ ଗତ ବର୍ଷ ବର୍ଷର ପରାଜୟର ପ୍ରକୃତ କାରଣ ଖୋଜି, ପଶ୍ଚାତ୍‌ଗତିର ବ୍ୟର୍ଥତା ଓ ବିଡମ୍ବନାରୁ ନୂତନ ଅଭିଜ୍ଞତାର ଶିକ୍ଷା ହାସଲ କରି ଜନଗଣଙ୍କ ହାତରେ ନୂତନ ଅସ୍ତ୍ର ଗଣଆନ୍ଦୋଳନର ନୂତନ ଆଭିମୁଖ୍ୟ ଜାତି-ବର୍ଣ୍ଣ-ଧର୍ମ-ଦଳ ନିର୍ବିଶେଷରେ ଯେକୌଣସି ସମାଜବିରୋଧୀ ଅପକର୍ମ ଓ ଅନ୍ୟାୟର ସମ୍ମିଳିତ ପ୍ରତିରୋଧ କରିବାର ବେଳ ଆସିଯାଇଛି । ଏହା ହିଁ ସମୟର ଆହ୍ୱାନ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।

Back to top button