‘ବିକ୍ରମ’ର ଭଗ୍ନାବଶେଷ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳ ହୋଇ ପାରିନି। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସୋମବାର ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍‌ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠର ଅନେକ ସ୍ଥାନରେ ବିକ୍ରିମର ଧ୍ୱଂସାବଶେଷ ପଡ଼ି ରହିଥିବା ବେଳେ କ୍ରାସ୍‌ ସାଇଟ୍‌ର ୭୫୦ ମିଟର ଦୂରରେ ‘ବିକ୍ରମ’ର ଏକ ଭଗ୍ନାବଶେଷ ପଡି ରହିଥିବା ସୂଚନା ମିଳିଛି। ଯଦି ବିକ୍ରମର ସୂକ୍ଷ୍ମ ଅବତରଣ ସଫଳ ହୋଇଥାନ୍ତା ତାହେଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍‌ ଓ ଚୀନ୍‌କୁ ପଛରେ ପକାଇଥାନ୍ତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଜୁଲାଇ ୨୨ ତାରିଖ ଦିନ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ହୋଇଥିଲା। ସେପ୍ଟେମ୍ବର ୭ରେ ଏହାର ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଚନ୍ଦ୍ର ଅଭିଯାନକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଥାନ୍ତା। କାରଣ ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ଵକୁ ଛୁଇଁ ପାରିନାହିଁ। ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିଥାଆନ୍ତା ବୋଲି ନାସାର ବୈଜ୍ଞାନିକମାନେ ଆଶା ପ୍ରକାଶ କରିଥିଲେ।

ମତାମତ ଦିଅନ୍ତୁ ।