ରାହୁଲ ସ୍ପଷ୍ଟ କଲେ ଅଧ୍ୟକ୍ଷ ପଦକୁ ଫେରିବେନି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେଲା ଦଳ ଭିତରେ ଭିନ୍ନମତ ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସ୍ଵର୍ଗତ ସିଲା ଦିକ୍ଷିତଙ୍କ ପୁଅ ଗାନ୍ଧୀ ପରିବାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମନ୍ତବ୍ୟକୁ କଛି ନେତା ପରୋକ୍ଷ ସମର୍ଥନ କରିଛନ୍ତି। ସେହି ନେତାମାନଙ୍କର ମତ ଦଳର ଅଧ୍ୟକ୍ଷ ଗାନ୍ଧୀ ପରିବାର ବାହାରୁ ଚୟନ କରାଯାଉ। ଏଥିପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ଦଳରେ ଏପରି ବିବାଦୀୟ ମତ ଉଠିଥିବା ବେଳେ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି ସେ ଅଧ୍ୟକ୍ଷ ପଦକୁ ଫେରିବାର ପ୍ରଶ୍ନ ଉଠୁନାହିଁ। ଯାହାଫଳରେ ରାହୁଲ ପୁଣି ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ରାହୁଲ ଗାନ୍ଧି କହିଛନ୍ତି ଦଳର ନେତୃତ୍ୱ ନେବା ପ୍ରସଙ୍ଗରେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଏ ସମ୍ପର୍କରେ ମୁଁ ଚିଠି ଲେଖି ସମସ୍ତଙ୍କୁ ଭଲ ଭାବେ ଅବଗତ କରାଇ ସାରିଛି। ବର୍ତ୍ତମାନ ସ୍ଥିତିରେ ମୁଁ କଂଗ୍ରେସର ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ।

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ଦଳରେ ନେତୃତ୍ୱ ସଙ୍କଟ ଦେଖାଦେବାରୁ ସୋନିଆ ଗାନ୍ଧିଙ୍କୁ ଦଳର ଆଭ୍ୟନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ଏବେ ସମସ୍ୟା ହେଉଛି ସୋନିଆ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରୁନାହାନ୍ତି। ଯାହାଫଳରେ ପୁଣିଥରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ରାହୁଲ ଅଧ୍ୟକ୍ଷ ପଦକୁ ଫେରିବେନି ବୋଲି ମନା କରିବା ପରେ ଏହି ଦାୟିତ୍ଵ କାହାକୁ ମିଳିବ ତାହା ଦେଖିବାର କଥା।

ମତାମତ ଦିଅନ୍ତୁ ।