କମଲନାଥ ସରକାର ପାଇଁ ସଙ୍କଟ, ପୁଣି ବେଙ୍ଗାଲୁରୁ ଗଲେ ୧୭ ବିଧାୟକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ଦଳ କଂଗ୍ରେସ ଠିକ୍ ଅଛି କହୁଥିବା ବେଳେ ସେହି ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। କେଉଁ ବିଧାୟକମାନେ ଯାଇଛନ୍ତି ତାହା ଜଣାପଡି ନଥିଲେ ହେଁ ସେମାନଙ୍କ ମଧ୍ୟରେ ୭ ଜଣ ମନ୍ତ୍ରୀ ଥିବା କୁହାଯାଇଛି।

ଗଣମାଧ୍ୟମର ଖବର ଅନୁଯାୟୀ ହୋଟେଲକୁ ଯାଇଥିବା ବିଧାୟକମାନେ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ। ପ୍ରକୃତ କଥା ହେଲା କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ସମ୍ପର୍କ ଭଲ ନାହିଁ। କାରଣ ଜ୍ୟୋତିରାଦିତ୍ୟ ଥିଲେ ମୁଖ୍ୟମନ୍ତ୍ରୀ ଆଶାୟୀ। କିନ୍ତୁ କମଳନାଥଙ୍କୁ ମିଳିଲା ଦାୟିତ୍ଵ। ସେହିଦିନ ଠାରୁ ତାଳିପକା ବୁଝାମଣା ଭିତରେ ଦଳୀୟ କାର୍ଯ୍ୟ ହେଉଛି। ଅନେକ ପ୍ରସଙ୍ଗରେ ସିନ୍ଧିଆ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ କମଲନାଥ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଥିବା ଦେଖାଯାଉଛି। ଯାହା ବିଜେପିକୁ ସୁହାଇଛି।

ଖବର ମିଳିଛି କର୍ଣ୍ଣାଟକର ବିଜେପି ବିଧାୟକମାନେ ମଧ୍ୟପ୍ରଦେଶର ୧୭ ଜଣ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ରିସୋର୍ଟରେ ରଖାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ତାଙ୍କ ଦଳ ଠିକ ଅଛି। ବିଜେପିର ୧୫ ବର୍ଷ ଶାସନରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସୁଥିବାରୁ ନେତାମାନେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବିଧାୟକ ସଂଖ୍ୟା ୨୨୦। ସଂଖ୍ୟାଗରିଷ୍ଠତା ପାଇଁ ୧୧୧ ଆବଶ୍ୟକ। ଯଦି କଂଗ୍ରେସ ଦଳର ୮ଜଣ ବିଧାୟକ ଇସ୍ତଫା ଦିଅନ୍ତି ତେବେ ସଂଖ୍ୟା ୧୦୬ କୁ ହ୍ରାସ ପାଇବ। ସେହିପରି ସେଠାରେ ବିଜେପିର ୧୦୭ ଜଣ ବିଧାୟକ ଅଛନ୍ତି। ନାରାୟଣ ତ୍ରିପାଠୀ ଓ ଶରଦ କାଉଲ୍ ଯଦି କଂଗ୍ରେସରେ ଯୋଗ ଦିଅନ୍ତି ବିଜେପି ସଂଖ୍ୟା ରହିବ ୧୦୫। ଜଣ ବିଧାୟକ ରହିବେ। ବର୍ତ୍ତମାନ ମଧ୍ୟପ୍ରଦେଶରେ କ୍ଷମତା ଲଢେଇ ଆରମ୍ଭ ହୋଇଛି ସେଥିରେ ଆଗକୁ କ’ଣ ହେବ ଏବେଠାରୁ କୁହାଯାଇ ପାରୁନି।

ମତାମତ ଦିଅନ୍ତୁ ।