ବିହାରରେ କଂଗ୍ରେସଠୁ ଦୂରେଇଲା ଆରଜେଡି

ନୂଆଦିଲ୍ଲୀ : କଂଗ୍ରେସ ପାଇଁ ଖରାପ ସମୟ। ପରିସ୍ଥିତି ଲୋଲସଭା ନିର୍ବାଚନ ଠାରୁ ବଳି ଗଲାଣି। ଦଳୀୟ ନେତାଙ୍କଠୁ ସହଯୋଗୀ ଦଳ ପର୍ଯ୍ୟନ୍ତ ସମସ୍ତେ ଏବେ ଦୂରେଇ ଯାଉଛନ୍ତି। ମଧ୍ୟପ୍ରଦେଶରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ସରକାର ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ଥାନରେ ଦଳୀୟ ବିବାଦ କୁହୁଳୁଛି। କେତେବେଳେ ବିସ୍ଫୋରକ ରୂପ ନେଇପାରେ। ବିହାରରେ ବି ବିବାଦ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ମେଣ୍ଟ ସହଯୋଗୀ ଆରଜେଡି ଅକେଲା ଚଲୋ ନୀତି ଆପଣାଇଛି। ୨ଟି ରାଜ୍ୟସଭା ଆସନ ପାଇଁ କଂଗ୍ରେସର ବିନା ସହମତିରେ ଆରଜେଡି ନିଜ ଦଳର ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ଏହା ସୂଚାଇ ଦେଉଛି ଲୋକସଭା ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣାରୁ ଆରଜେଡି ଓହରିଯାଇଛି।

ଆରଜେଡି ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ବ୍ୟବସାୟୀ ପ୍ରେମଚାନ୍ଦ ଗୁପ୍ତା ଓ ଅମରିନ୍ଦ୍ରଧାରୀ ସିଂଙ୍କୁ ଆରଜେଡି ରାଜ୍ୟସଭା ଟିକେଟ ଦେଇଛି। ଗୁପ୍ତାଙ୍କୁ ଟିକେଟ ମିଳିବା କଥା ବହୁ ପୂର୍ବରୁ ଆଲୋଚନା ହେଉଥିଲେ ମଧ୍ୟ ନୂଆ ମୁହଁ ସିଂଙ୍କୁ ଦଳ ଦଳ ପ୍ରାର୍ଥୀ କରିବା ସମସ୍ତଙ୍କୁ ଚକିତ କରିଛି। ଏପରିକି ନାମାଙ୍କନ ଦାଖଲ ପୂର୍ବରୁ କୌଣସି ଦଳୀୟ ନେତା ତାଙ୍କୁ ଦେଖିନଥିଲେ। ଲୋକସଭା ନିର୍ବାଚନ ବୁଝାମଣା ଅନୁଯାୟୀ ଆରଜେଡି ଗୋଟିଏ ରାଜ୍ୟସଭା ଆସନ କଂଗ୍ରେସକୁ ଦେବା କଥା। କିନ୍ତୁ କଂଗ୍ରେସ ନିରାଶ ହେବାକୁ ପଡିଛି। କୁହାଯାଉଛି ଲାଲୁଙ୍କ ନିଷ୍ପତ୍ତି ଅନୁଯାୟୀ ଆରଜେଡିର ପ୍ରାର୍ଥୀ ଚୁଡାନ୍ତ ହୋଇଛି।

ମତାମତ ଦିଅନ୍ତୁ ।