ଘରୁ ବାହାରିଲେ ୧୨୩ଟି ନାଗ

ଭିଣ୍ଡ: ସାପ ଦେଖିବା ମାତ୍ରେ ମନରେ ଭୟ ଆସି ଯାଇଥାଏ । ତେବେ ଚିନ୍ତା କରୁନ୍ତୁ ତ ଯଦି ଏକା ସଙ୍ଗେ ୧୦୦ରୁ ଅଧିକ ସାପ ଘର ଭିତରୁ ବାହାରନ୍ତି ତାହାଲେ କ’ଣ ହେବ । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ଘରୁ ଗତ ୧ ସପ୍ତାହ ମଧ୍ୟରେ ପ୍ରତିଦିନ ସାପ ବାହରିବାରେ ଲାଗିଛନ୍ତି । ଫଳରେ ପରିବାର ସଦସ୍ୟଙ୍କ ନିଦ ହଜିଯିବା ସହ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଭୟରେ କେତେକ ସଦସ୍ୟ ଘର ଛାଡ଼ି ବାହରେ ରହିବାରେ ଲାଗିଛନ୍ତି । ପରିବାରର ମୁଖ୍ୟ ଜୀବନ କୁଶବାହଙ୍କ କହିବା ଅନୁସାରେ ଗତ ୭ଦିନ ଭିତରେ ଘରୁ ୧୨୩ଟି ନାଗ ବାହାରିଲେଣି । ଏ ସମ୍ପର୍କରେ ପଂଚାୟତ କାର୍ଯ୍ୟନିର୍ବାହୀଙ୍କୁ ସୂଚନା ଦେଇଥିଲେ ବି ସେ ସାହାଯ୍ୟ କରିବା ବଦଳରେ ସାପଙ୍କୁ କ୍ଷୀର ପିଆଇବାକୁ ଉପଦେଶ ଦେଇଥିଲେ ।
ଏହି ଘଟଣା ପରେ ପରିବାର ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇ ସାହାଯ୍ୟ ପାଇଁ ନିବେଦନ କରାଯାଇଛି । ତେବେ ବର୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସାହାଯ୍ୟ ପାଇଁ ଆଗେଇ ଆସି ନାହାନ୍ତି । ଭୟରେ ପରିବାର ଲୋକେ ରାତିରେ ଶୋଇ ପାରୁ ନାହାନ୍ତି । ସାପ ଗୁଡ଼ିକ ବିଶେଷତଃ ଅନ୍ଧାରରେ ବାହାରୁଛନ୍ତି । ଘରର ମୁଖ୍ୟ ଜୀବନ ନିଜ ଭାଇଙ୍କ ସହିତ ବସି ରାତିରେ ସାପ ଧରିଥାନ୍ତି । ଭୟରେ ଜୀବନ ଘରର ଅଧିକାଂଶ ସଦସ୍ୟଙ୍କୁ ବାହାରକୁ ପଠାଇ ଦେଇଛନ୍ତି ।

ମତାମତ ଦିଅନ୍ତୁ ।