ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ନେଇ ଆଇସିଏମ୍‌ଆର୍‌ର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ମାଧ୍ୟମରେ କରୋନା ସଂକ୍ରମଣକୁ କମ୍ କରାଯାଇ ପାରୁଥିବା ଜଣା ପଡ଼ିବା ପରେ ଏହାର ଚାହିଦା ବଢ଼ିଯାଇଥିଲା । ତେବେ ଏହାକୁ ବଜାରରୁ ସମସ୍ତେ କିଣିବାକୁ ଲାଗି ପଡ଼ିବାରୁ ଭାରତ ସରକାରଙ୍କ ଭେଷଜ ଗବେଷଣା ସଂସ୍ଥା ‘ଆଇସିଏମ୍‌ଆର୍‌’ କେଉଁମାନେ ଏହାକୁ ବ୍ୟବହାର କରିବେ ସେ ନେଇ ଗାଇଡ୍ ଲାଇନ୍ ଜାରି କରିଥିଲା । ତେବେ ପୁଣି ଥରେ ଆଇସିଏମ୍‌ଆର୍ ନିଜର ଗାଇଡ୍ ଲାଇନ୍‌ରେ ପରିବର୍ତନ କରିଛି । ଶନିବାର ଏ ସମ୍ପର୍କରେ ସୂଚନା ମିଳିଛି । ପରିବର୍ତିତ ଗାଇଡ୍‌ଲାଇନ୍‌ରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ(ଲକ୍ଷଣ ନ ଥିବା), କଂଟେନମେଂଟ ଜୋନରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ, ଅଣ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, କରୋନା ସଂକ୍ରମିତ ଅଂଚଳରେ କାମ କରୁଥିବା ପୁଲିସ୍ ଓ ଅର୍ଦ୍ଧସାମରିକ କର୍ମଚାରୀ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ମାତ୍ର ଲକ୍ଷଣ ନ ଥିବା ପରିବାର ସଦସ୍ୟ ବ୍ୟବହାର କରିପାରିବେ ।

ବିଶ୍ୱର ଅନେକ ଦେଶ ଏହି ଔଷଧ ପାଇବାକୁ ଭାରତକୁ ଅନୁରୋଧ କରିଥିଲେ । ମହାଶକ୍ତି ଆମେରିକା କରୋନା ସଂକ୍ରମଣକୁ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଏହାକୁ ଯୋଗାଇଦେଇଥିଲେ ।

ମତାମତ ଦିଅନ୍ତୁ ।