ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଲଶ୍କର୍‌ ଆତଙ୍କବାଦୀ

ନୂଆଦିଲ୍ଲୀ : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର୍‌-ଏ-ତୈବା ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଟାର୍ଗେଟରେ ରହିଛି ଜମ୍ମୁ ଓ କଶ୍ମୀରରେ ଥିବା ଭାରତୀୟ ସେନା ଓ ଅନ୍ୟ ନିରାପତ୍ତା ବଳଙ୍କ କ୍ୟାମ୍ପ। ଗୁଇନ୍ଦା ବିଭାଗ ଏହି ସୂଚନା ଦେଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ ସମ୍ବା ଜିଲ୍ଲାରେ ଥିବା ବାରି ବ୍ରାହ୍ମଣ କ୍ୟାମ୍ପ୍‌, ଜମ୍ମୁ ଅଞ୍ଚଳର ସୁଞ୍ଜଓ୍ଵା ଓ କାଲୁଚକ ଆର୍ମି କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ଶୋପିଆଁ ଅଞ୍ଚଳଦେଇ ୪ ଜଣ ଅନୁପ୍ରବେଶ କରିବା ପରେ ଜମ୍ମୁରେ ପହଞ୍ଚିବାକୁ ସେମାନେ ଯୋଜନା କରୁଥିବା କୁହାଯାଇଛି। ଏହାଛଡା ଭାରତରେ ପସିବାକୁ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ଅପେକ୍ଷା କରିଥିବା ଗୁଇନ୍ଦା କହିଥିବା ବେଳେ ଗୁଲ୍‌ମାର୍ଗରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ଠାରୁ ଏହି ତଥ୍ୟ ମିଳିଥିଲା।

ଆହୁରି ଜଣାପଡିଛି ଯେ ଭାରତକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାରେ ସହାୟତା କରିବାକୁ ନିୟନ୍ତ୍ରଣ ରେଖା ଅଞ୍ଚଳର ଜୋହଲି, ବାର୍ଗି ଓ ନୂଆ ବାଥ୍‌ଲା ଠାରେ ପାକିସ୍ତାନୀ ଆର୍ମି ତା’ର ପୋଷ୍ଟ୍‍ଗୁଡ଼ିକୁ ବ୍ୟବହାର କରୁଛି। ଆତଙ୍କବାଦୀମାନେ କାଚରବନ ଲଞ୍ଚିଙ୍ଗ୍‌ ପ୍ୟାଡ୍‌ରେ ଅପେକ୍ଷା କରିଛନ୍ତି। କଶ୍ମୀର ଉପତ୍ୟକାରେ ଧର୍ମୀୟ ସ୍ଥାନ ଗୁଡ଼ିକରେ ଆକ୍ରମଣ କରିବାକୁ ଆଇଏସ୍‌ଆଇ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକୁ ଆଦେଶ ଦେଇଥିବା କଥା ପୂର୍ବରୁ ଗୁଇନ୍ଦା ସୂଚନା ଦେଇଛି।

ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ଗୁପ୍ତରେ ଜେଲରୁ ମୁକ୍ତ କରିଥିବା ସୂଚନା ମିଳିଛି। ମାସୁଦ ତାର ସଙ୍ଗଠନ ଲୋକମାନଙ୍କ ସହ ଆଲୋଚନା କରୁଛି। ଭାରତରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଷଡଯନ୍ତ୍ରର ଯୋଜନା କରୁଥିବାର ସୂଚନା ମିଳିଛି।

ମତାମତ ଦିଅନ୍ତୁ ।