ଚୀନରେ ବୁର୍ଖା ଓ ଇସ୍‌ଲାମିକ୍ ଭିଡିଓ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନର ସିନ୍‌ଜିଆଙ୍ଗ ପ୍ରଦେଶରେ ବୁର୍ଖା ପିନ୍ଧିବା ଓ ‘ବେଆଇନ’ ଇସ୍‌ଲାମିକ୍‌ ଭିଡିଓ ଉପରେ ଲାଗିଛି କଟକଣା। ଏହି ଭିଡିଓ ଦେଖିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆଉ ଖୋଲା ଯାଇଛି ଭୋକେସନାଲ୍‌ ଟ୍ରେନିଂ ସେଣ୍ଟର। ସେଠାରେ ଉଗ୍ରବାଦ ଆଡ଼କୁ ଗତି କରୁଥିବା ଦର୍ଶାଇ ହଜାର ହଜାର ଉଇଘୁର ମୁସଲିମ୍‌ଙ୍କୁ ‘ଶିକ୍ଷା’ ଦିଆଯାଉଛି।

ମେହେରବାନ୍‌ ସିମି ନାମକ ଜଣେ ଉଇଘୁର ମୁସଲିମ୍‌ ଗତବର୍ଷ ଜୁନ୍‌ଠାରୁ ଏହି ସେଣ୍ଟରରେ ଅଛନ୍ତି। ତେବେ ପାରମ୍ପରିକ ପୋଷାକ ପିନ୍ଧିବା, ମେକ୍‌ ଅପ୍‌ ନଲଗାଇବା ଓ ଆଧୁନିକ ପୋଷାକ ନ ପିନ୍ଧିବାକୁ ବାଧ୍ୟ କରିଥିବାରୁ ତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ୧୭ ବର୍ଷ ପାଇଁ ଜେଲ ପଠାଯାଇଛି। ସିମି କାଳେ ଉଗ୍ରବାଦ ଦ୍ୱାରା ପ୍ରଭାବିତ ହୋଇଥିବେ ସନ୍ଦେହରେ ତାଙ୍କୁ ଏପରି ତାଲିମ ଦିଆଯାଉଛି। ପଡ଼ୋଶୀଙ୍କଠାରୁ ସୂଚନା ପାଇ ସ୍ଥାନୀୟ ପୋଲିସ ତାଙ୍କୁ ଭୋକେସନାଲ୍‌ ସେଣ୍ଟରରେ ଛାଡ଼ିଥିଲେ। ୩ ବର୍ଷର ଝିଅର ଦାୟିତ୍ୱ ତାଙ୍କ ମା’ଙ୍କ ଉପରେ ଅଛି।

ଏହି ସେଣ୍ଟର ସବୁ ମାନବାଧିକାର କର୍ମୀଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଆସୁଛି। ସେମାନଙ୍କୁ ଏତେ ମାତ୍ରାରେ ଅଟକ ରଖାଯିବା, ଉଇଘୁରଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇ ଏକ ନିର୍ଦ୍ଦିଷ୍ଟ ମତ ଅନୁସରଣ କରିବାକୁ ନିନ୍ଦା କରାଯାଉଛି। ସିନ୍‌ଜିଆଙ୍ଗରେ ମୋଟ କେତୋଟି ଭୋକେସ୍‌ନାଲ କେନ୍ଦ୍ର ଅଛି ତାହା ଜଣାପଡ଼ିନାହିଁ। ସିନ୍‌ଜିଆଙ୍ଗ ପ୍ରଦେଶ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ମଙ୍ଗୋଲିଆ, କାଜାଖ୍‌ସ୍ତାନ୍‌ ଓ କିର୍ଗିଜ୍‌ସ୍ତାନକୁ ଲାଗିଛି।

ମତାମତ ଦିଅନ୍ତୁ ।