April 6, 2020

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଦିଲ୍ଲୀରେ ଭଡା ଘର ମିଳୁନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନଓ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାର ରହିବା ପାଇଁ ଦିଲ୍ଲୀରେ କୌଣସି ଲୋକ ଘର ଦେଉନାହାନ୍ତି। ଭଡା ଘର ମିଳୁଛି କିନ୍ତୁ ଝିଅ ପଛରେ ରହିଥିବା କାହାଣୀ ଜାଣିବା ପରେ ଘର ଦେବାକୁ ମନା କରୁଛନ୍ତି ମାଲିକ। କୋର୍ଟରେ ଏ କଥା ଜିଲ୍ଲା ଜଜ ଧର୍ମେଶ ଶର୍ମାଙ୍କୁ ଜଣାଇଛନ୍ତି ପୀଡ଼ିତାଙ୍କ ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ରା। କୋର୍ଟ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଥିବା ବେଳେ ପୀଡ଼ିତା ଓ ତାଙ୍କ ପରିବାରକୁ ଘର ଦେବାର ବ୍ୟବସ୍ଥା କରିବା ପାଇଁ ଦିଲ୍ଲୀ ମହିଳା କମିଶନଙ୍କୁ ଦାୟିତ୍ୱ ଦେଇଛନ୍ତି।

ଉତ୍ତରପ୍ରଦେଶ ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୋଧରେ ସବୁ ମୋକଦ୍ଦମା ଲଢିଥିବା ଏହି ଝିଅ ଓ ତାଙ୍କ ପରିବାର ନିଜ ରାଜ୍ୟକୁ ଯିବା ପାଇଁ ଡରୁଛନ୍ତି। ଅଭିଯୋଗକାରିଣୀ ଓ ତାଙ୍କ ମା’ଙ୍କୁ ପିତାଙ୍କ କଥିତ ହତ୍ୟା ମାମଲାରେ ସାକ୍ଷ୍ୟ ପ୍ରଦାନ କରିବା ପାଇଁ ଶନିବାର ଅଦାଲତରେ ହାଜର ହେବାର ଥିଲା କିନ୍ତୁ ସେମାନେ ଆସି ନଥିଲେ।

ବିଚାରପତିଙ୍କୁ ପୀଡ଼ିତା ଓ ତାଙ୍କର ମା’ ଦିଲ୍ଲୀରେ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଦିଲ୍ଲୀ ମହିଳା ଆୟୋଗଙ୍କୁ ପୀଡ଼ିତାର ଭାଇ-ଭଉଣୀଙ୍କ ଥଇଥାନ ପ୍ରସଙ୍ଗରେ ବିଚାର କରିବାକୁ ମଧ୍ୟ କୁହାଯାଇଛି। ଯେଉଁଠାରେ ସେମାନେ ଆଗକୁ ପଢ଼ିପାରିବେ ଅଥବା ନିଜର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। କୋର୍ଟ ଆୟୋଗଙ୍କୁ କହିଛନ୍ତି ଏବାବଦରେ ଯାହା ଖର୍ଚ୍ଚ ହେବ କୋର୍ଟଙ୍କୁ ସୂଚନା ଦିଆଯାଉ। ସେହି ଟଙ୍କା ଭରଣା କରିବେ ଉତ୍ତର ପ୍ରଦେଶ ସରକାର। କୋର୍ଟ ପୀଡ଼ିତଙ୍କ ପିତାଙ୍କ ନ୍ୟାୟିକ ହେପାଜତରେ ମୃତ୍ୟୁ ମାମଲାରେ ସାକ୍ଷ୍ୟ ଦେବା ପାଇଁ ସେପ୍ଟେମ୍ବର ୩୦କୁ ତାରିଖ ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *