ମହାରାଷ୍ଟ୍ରରେ ସରକାର ଗଠନନେଇ ଅଚଳାବସ୍ଥା

ମୁମ୍ୱାଇ: ଆସନ୍ତାକାଲି ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷହେବ। କିନ୍ତୁ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ସହମତି ହୋଇପାରୁନି। ଶିବସେନା ନିଜର ୫୬ ବିଧାୟକଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖିଥିବା ବେଳେ କଂଗ୍ରେସ ୪୪ ବିଧାୟକଙ୍କୁ ରାଜସ୍ଥାନର ଜୟପୁରରେ ରଖିବାରେ ଲାଗିଛି। କାଳେ ସେମାନଙ୍କ ବିଧାୟକଙ୍କୁ ବିଜେପି ନିଜପଟକୁ କରିନେବ, ସେହି ଭୟରେ ଏ ଦୁଇ ଦଳ ନେଇଛନ୍ତି ଏହି ପଦକ୍ଷେପ।

ଏଭଳି ସ୍ଥିତିରେ ଉଭୟ ବିଜେପି-ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ପ୍ରୟାସ କରୁଛି ବୋଲି ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଗକୁ ଲଢ଼େଇ ଜାରି ରହିବ ବୋଲି ସେ ପୁଣି ଥରେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବିଜୟୀ ହୋଇଛନ୍ତି।

ମତାମତ ଦିଅନ୍ତୁ ।