ବାଂଲାଦେଶରେ ‘ବୁଲ୍‌ବୁଲ୍‌’ର ଖଣ୍ଡପ୍ରଳୟ

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ବାଂଲାଦେଶରେ ଖଣ୍ଡପ୍ରଳୟ ସୃଷ୍ଟି କରିଛି। ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ଘର ଭାଙ୍ଗିରୁଜି ଯାଇଛି। ତେବେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ ଅନେକଙ୍କ ପ୍ରାଣ ବଞ୍ଚିଯାଇ ପାରିଛି। ଆଉ ଖବର ମିଳିଛି। ପଡ଼ୋଶୀ ମିଆଁମାରରୁ ଆସି ବାଂଲାଦେଶର ଦକ୍ଷିଣପୂର୍ବସ୍ଥ କ୍ୟାମ୍ପ୍‌ରେ ବସବାସ କରୁଥିବା ଶହ ଶହ ଶରଣାର୍ଥୀଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ସରକାରୀ ଅଧିକାରୀଙ୍କ କହିବ ଅନୁଯାୟୀ ଶନିବାର ରାତିରେ ଚାଳଘର ଉପରେ ଗୋଟିଏ ଭାଙ୍ଗିପଡ଼ିବାରୁ ଘରଛାଡ଼ି ଯାଇ ନ ଥିବା ଜଣେ ୬୦ ବର୍ଷିୟ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଛି। ସେହିପରି ଆଶ୍ରୟସ୍ଥଳୀରେ ରାତ୍ରୀଯାପନ କରି ରବିବାର ସକାଳୁ ଘରକୁ ଫେରୁଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କର ଗଛପଡି ମୃତ୍ୟୁ ଘଟିଛି।

ଶନିବାର ରାତିରେ ବାଂଲାଦେଶର ୧୩ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୨ ନିୟୁତ ଲୋକଙ୍କୁ ୫, ୫୫୮ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା। ବାହାରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର। କେତେକ ତଳିଆ ଉପକୂଳ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। କୋକ୍ସ୍‍ ବଜାର ଜିଲ୍ଲାର ସେଣ୍ଟ୍‌ ମାର୍ଟିନ୍‌ ଦ୍ୱୀପରେ ୧୨୦୦ ଦେଶୀ ପର୍ଯ୍ୟଟକ ଅଟକି ରହିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। ପ୍ରକୃତ କ୍ଷୟକ୍ଷତି ଜଣାପଡି ନାହିଁ।

ମତାମତ ଦିଅନ୍ତୁ ।