ନାଉଗାଁ ତହସିଲରେ ଜାଲିଆତି : ଆମରଣ ଅନଶନରେ ବସିଲେ ୯୦ବର୍ଷର ବୃଦ୍ଧ

ନାଉଗାଁ : ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତ ବଛାଳୋ ଗ୍ରାମର ବ୍ରହ୍ମାନନ୍ଦ ଲେଙ୍କାଙ୍କ ଜମି କ୍ରୟ ରେକର୍ଡ ଜାଲିଆତି ହୋଇଛି। ଏହି ଜମିର ସାର୍ଟିଫାଏଡ ନକଲ ପାଇଁ ଆବେଦନ କଲେ ମିଳୁନି। ଏହାର ପ୍ରତିବାଦରେ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ୯୦ବର୍ଷର ବୃଦ୍ଧ ବ୍ରହ୍ମାନନ୍ଦ। ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବ୍ଳକର ବିଭିନ୍ନ ଅଂଚଳରୁ ବୁଦ୍ଧିଜୀବମାନେ ଏହି ଅନଶନରେ ସାମିଲ ହୋଇଥିଲେ।

ବ୍ରହ୍ମାନନ୍ଦଙ୍କ ଅଭିଯୋଗ ଅନୁଯାୟୀ ବଛାଳୋ ଗ୍ରାମ ପଂଚାୟତର ଅରସ ମୈାଜା ଖାତା ନଂ ୧୧୧ର ପ୍ଳଟ ନଂ ୧୩୭ରେ ଥିବା ୪ ଡିସିମିଲ ଓ ୩୩୩ରେ ୧୮ ଡିସିମିଲର ଜମିକୁ ୧୫ ଜୁଲାଇ ୨୦୧୯ରେ କ୍ରୟ କରିଥିଲେ। ଯେଉଁ ଜମିର ମାଲିକ ଥିଲେ ମାଳବିକା ରାଉତରାୟ ଓ ନିରଂଜନ ଲେଙ୍କା। ଜମି କ୍ରୟ ପରେ ଦାଖଲ ଖାରଜ ପାଇଁ ତହସିଲରେ ଆବେଦନ କରିଥିଲେ। କିନ୍ତୁ ଦାଖଲ ଖାରଜ ସମୟରେ ନିରଞନ ଓ ମାଳବିକାଙ୍କ ନାମରେ ୩୩୩ ପ୍ଲଟ ନଥିବା ତହସିଲ ପକ୍ଷରୁ ଜଣାଇ ଦିଆଯାଇଥିଲା। ପ୍ଳଟ ନଂ ୩୩୩ରେ ଥିବା ୧୮ ଡିସିମିଲ ଜମି ଖାତା ନମ୍ବର ୧୪୫/୨୦ରେ ରେଣୁବାଳା ନାୟକଙ୍କ ନାମରେ ରହିଥିଲା। ପଟ୍ଟାକୁ ବାହାର କରିବାରୁ ଜଣାପଡିଲା ଜମିର ମାଲିକାନା ରେଣୁବାଳା ନାୟକଙ୍କ ନାଁରେ ରହିଛି। ତେଣୁ ବ୍ରହ୍ମାନନ୍ଦ ତହସିଲଦାର ନାଉଗାଁ, ଜିଲ୍ଲାପାଳ ଜଗତସିଂହପୁର, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଓଡିଶା, ଦୁର୍ନିତି ନିବାରଣ ଅଧିକାରୀ ଜଗତସିଂହପୁର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଓଡିଶାଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୮୩୩୭ ତା ୧୮ ଫେବୃଆରୀ ୨୦୨୦ରେ ଉଭୟ ପକ୍ଷଙ୍କୁ ଡାକି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ମାସ ବିତି ଯାଇଥିଲେ ମଧ୍ୟ ବ୍ରହ୍ମାନନ୍ଦଙ୍କ ସମସ୍ୟାର କୌଣସି ସମାଧାନ ହୋଇନାହିଁ। ଫଳରେ ବ୍ରହ୍ମାନନ୍ଦ ଆମରଣ ଅନଶନରେ ବସିବାରୁ ଘଟଣାସ୍ଥଳରେ ତହସିଲଦାର ଜେ.କଳ୍ପନା ଓ ଥାନାଧିକାରୀ ଭରତ କୁମାର ବେହେରା ପହଂଚି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ତହସିଲ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସେ ଅନଶନରୁ ଉଠିଥିଲେ।

ମତାମତ ଦିଅନ୍ତୁ ।