Sat. Dec 14th, 2019

ପୁରୀ ଗଣଦୁଷ୍କର୍ମ: ସରକାରଙ୍କୁ କଂଗ୍ରେସ ଓ ବିଜେପିର ଟାର୍ଗେଟ, ବିଜେଡି କହିଲା ଆଇନ ଉପରେ ଆସ୍ଥା ରଖ

ଭୁବନେଶ୍ୱର : ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ବିଜେପି ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଥିବା ବେଳେ ଏହି ପ୍ରସଙ୍ଗକୁ ରାଜନୀତିକରଣ ନକରି ନ୍ୟାୟ ବ୍ୟବସ୍ଥା ଓ ଆଇନ ଉପରେ ଆସ୍ଥା ରଖିବାକୁ ବିଜେଡି ନିବେଦନ କରିଛି।

ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ୱାଳ, ରାଇରଙ୍ଗପୁରରେ ଅଧ୍ୟାପିକା ଓ ଏବେ ପୁରୀରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ଓ ସମ୍ପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ କହିଛନ୍ତି ଯାଜପୁରରେ ସ୍ମିତାରାଣୀ, ମୟୂରଭଞ୍ଜରେ ଅଧ୍ୟାପିକା ଓ ଗତକାଲି ପୁରୀରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନକରିବାକୁ ଗଣମାଧ୍ୟମରେ ବୟାନ ଦେଉଥିବା ବେଳେ କାହିଁକି ବାରମ୍ବାର ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢ଼ୁଛି ବୋଲି ସେ ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ପୁରୀ ଘଟଣାକୁ ନେଇ ରାଜନୀତିକରଣ କରାନଯାଉ। ଏହା ଏକ ସାମାଜିକ ବ୍ୟାଧି। ଏହା ବିରୁଦ୍ଧରେ ଲଢ଼ିବା ପାଇଁ ସମସ୍ତେ ଏକଜୁଟ ହେବାର ସମୟ ଆସିଛି। ପୁରୀ ଘଟଣାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ନକଲି ପୋଲିସ ଆଇକାର୍ଡ ଦେଖାଇଥିବାରୁ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ପୋଲିସ ଏଫଆଇଆର ରୁଜୁ କରିଛି। ପୋକସୋ ଓ ଆଇପିସିର ବିଭିନ୍ନ ଦଫାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।

Leave a Reply

Your email address will not be published. Required fields are marked *