ତିରୁମାଲା ମନ୍ଦିରରେ ବାଲାଜୀଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ : ଅବସର ଗ୍ରହଣ କରିବା ପୂର୍ବରୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଓ ସହଧର୍ମିଣୀ ରୂପାଞ୍ଜଳି ଆନ୍ଧ୍ରପ୍ରଦେଶର ତିରୁମାଲା ଜିଲ୍ଲାସ୍ଥିତ ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜା କରିଛନ୍ତି।
ଜଷ୍ଟିସ ଗୋଗୋଇ ସପରିବାର ମନ୍ଦିରର ମୁଖ୍ୟ ଦ୍ୱାରରେ ପହଞ୍ଚିବାକ୍ଷଣି ସ୍ୱାଗତ କରାଯିବା ସହିତ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ମନ୍ତ୍ରପାଠ ଓ ମେଲମ ବାଦ୍ୟ ବାଜିଥିଲା। ପ୍ରତ୍ୟକ୍ଷ ଦିଅଁଙ୍କର ମହିମା ଓ ପ୍ରଭୁ ଭେଙ୍କଟେଶ୍ୱର ପରିଧାନ କରିଥିବା ଗହଣାର ତାତ୍ପର୍ଯ୍ୟ ବିଷୟରେ ଗର୍ଭଗୃହ ମଧ୍ୟରେ ତାଙ୍କୁ ବୁଝାଇ ଦିଆଯାଇଥିଲା। ପରେ ବେଦଜ୍ଞ ପଣ୍ଡିତମାନେ ରଙ୍ଗନାୟକୁଲ ମଣ୍ଡପରେ ‘ବେଦ ଆଶୀର୍ବଚନ’ ଦେଇଥିଲେ। ଗତକାଲି ଓ ଆଜି ପ୍ରଥମେ ସେ ତିରୁଚନୁର ପଦ୍ମାବତୀ ମନ୍ଦିର, ପ୍ରଭୁ ବରାହସ୍ୱାମୀ ଓ ପ୍ରଭୁ ଭେଙ୍କଟେଶ୍ୱରସ୍ୱାମୀଙ୍କୁ ଦର୍ଶନ କରିଥିଲେ। ଟିଟିଡି ସିଇଓ ଅନୀଲ କୁମାର ସିଙ୍ଘଲ, ଅତିରିକ୍ତ ଇଓ ଏଭି ଧର୍ମ ରେଡ୍ଡୀ ଉଚ୍ଚସ୍ତରୀୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ତୀର୍ଥ ପ୍ରସାଦ ଦେଇଥିଲେ।