Sat. Dec 14th, 2019

ଅଯୋଧ୍ୟା ରାୟ ରାୟ ବିରୋଧରେ ଜାମିଅତ୍‌-ଉଲେମା-ଇ-ହିନ୍ଦ ରିଭ୍ୟୁ ପିଟିସନ୍‌ ଦାଖଲ କରିବ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ଜାମିଅତ୍‌-ଉଲେମା-ଇ-ହିନ୍ଦ ପକ୍ଷରୁ। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ରାବିବର ବୈଠକ ପରେ ମୌଲାନା ଅର୍ଶାଦ୍‌ ମଦାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ମୁସଲିମ୍‌ ପକ୍ଷ ଚିନ୍ତା କରିଛନ୍ତି ସେମାନେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଆଯିବାକୁ ଥିବା ୫ ଏକର ବିକଳ୍ପ ଜମି ଗ୍ରହଣ କରିବେ ନାହିଁ। ଏହା ସତ ଯେ ଆମ ପିଟିସନ୍‌ ଶତପ୍ରତିଶତ ନାକଚ ହୋଇଯିବ। ହେଲେ ଆମେ ନିଶ୍ଚୟ ରିଭ୍ୟୁ ପିଟିସନ୍‌ ଦାଖଲ କରିବୁ। ଏହା ଆମ ଅଧିକାର ବୋଲି ମଦାନୀ କହିଛନ୍ତି।

ଆଜି ଲକ୍ଷ୍ନୌରେ ଏଆଇଏମ୍‌ପିଏଲ୍‌ବିର ଏକ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ମୁସଲିମ୍‌ ପକ୍ଷ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବା ନେଇ ନିଷ୍ପତ୍ତି ହୋଇଛି। ବୋର୍ଡର ସେକ୍ରେଟାରୀ ତଥା ବରିଷ୍ଠ ଓକିଲ ଜଫରୟାବ୍‌ ଜିଲାନୀ କହିଛନ୍ତି ଆଜି ବିଭିନ୍ନ ପକ୍ଷ ଏଆଇଏମ୍‌ପିଏଲ୍‌ବିର ସାଧାରଣ ସମ୍ପାଦକ ମୌଲାନା ୱାଲି ରେହମାନ୍‌ଙ୍କୁ ଭେଟିବା ସହ ଅଯୋଧ୍ୟା ରାୟ ବାବଦରେ ଜଣାଇଛନ୍ତି। ସେମାନେ କହିଛନ୍ତି ସୁପ୍ରିମ୍‌କୋର୍ଟଙ୍କ ରାୟ ବୁଝିହେଉନି। ତେଣୁ ଏହାର ରିଭ୍ୟୁ ହେବାର ଆବଶ୍ୟକ ରହିଛି।

ମୌଲାନା ମଦାନି କହିଛନ୍ତି ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରମାଣି ଭିତ୍ତିକ, ସେ ତା’ର ସମ୍ମାନ କରନ୍ତି। କିନ୍ତୁ ବୁଝିବା ବାହାରେ। କୋର୍ଟ ସ୍ୱୀକାର କରିଛନ୍ତି ମସଜିଦ୍‌ରେ ମୂର୍ତ୍ତି ସ୍ଥାପନ କରିବା ଓ ଏହାକୁ ଭାଙ୍ଗିବା ବେଆଇନ। ଏଥିପାଇଁ ଯେଉଁମାନେ ଦାୟୀ ରାୟ ସେମାନଙ୍କ ସପକ୍ଷରେ ଗଲା। କୋର୍ଟ ସ୍ୱୀକାର କରିଛନ୍ତି ମନ୍ଦିର ଭଙ୍ଗାଯାଇ ମସଜିଦ୍‌ କରାଯାଇନି। ତେଣୁ ମୁସଲିମ୍‌ ବୁଦ୍ଧିଜୀବୀ, ଧର୍ମଗୁରୁ ଓ ଧାର୍ମିକ ଅନୁଷ୍ଠାନ ବୈଠକରେ ନିଷ୍ପତ୍ତି ନେଇଥିଲେ ଯାହା ମଧ୍ୟ ରାୟ ଆସିବ ସମସ୍ତେ ସମର୍ଥନ ଓ ସମ୍ମାନ ଦେବେ।

Leave a Reply

Your email address will not be published. Required fields are marked *