ପବନ କଲ୍ୟାଣଙ୍କ ସହ ରୋମାନ୍ସ କରିବେ ନିଧି

ମୁମ୍ବାଇ : ମସିହାରେ ରିଲିଜ୍‌ ହୋଇଥିବା ‘ମୁନ୍ନା ମାଇକେଲ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତ୍ରୀ ନିଧି ଅଗ୍ରୱାଲ । ସେହି ଆକ୍ସନ୍‌ ଡ୍ୟାନ୍ସ ଡ୍ରାମାରେ ଫିମେଲ୍‌ ଲିଡ୍‌ ଭୂମିକା ନିର୍ବାହ କରିଥିଲେ ହାଇଦ୍ରାବାଦର ଏହି ଝିଅ। ଫିଲ୍ମରେ ତାଙ୍କ ସହିତ ଟାଇଗର ଶ୍ରଫ୍‌ ଓ ଭେଟେରାନ୍‌ ନୱାଜୁଦ୍ଦିନ୍‌ ସିଦ୍ଦିକି ସ୍କ୍ରିନ୍‌ ସେୟାର କରିଥିଲେ।‘ମୁନ୍ନା ମାଇକେଲ୍‌’କୁଦର୍ଶକେ ଖୁବ୍‌ ପସନ୍ଦ ବି କରିଥିଲେ । ଏପରିକି ନିଧି ସେ ବର୍ଷର ଶ୍ରେଷ୍ଠ ନବାଗତାଙ୍କ ମଧ୍ୟରେ ପରିଗଣିତ ହୋଇଥିଲେ । ତା’ ପରେ କିନ୍ତୁ କ’ଣ ହେଲା କେଜାଣି ସେ ସାଉଥ୍‌ମୁହାଁ ହେଲେ । ସେଠାରେ ‘ମିଷ୍ଟର ମଜ୍‌ନୁ’, ‘ଇସ୍ମାର୍ଟ ଶଙ୍କର’ ଭଳି ଫିଲ୍ମ ମାଧ୍ୟମରେ ଧମାଲ୍ କଲେ । ଆଗକୁ ନିଧି ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି । ସେ ଏହି ଖବରକୁ ସ୍ୱୀକାର ବି କରିଛନ୍ତି ।

କହିଛନ୍ତି, ‘ଲାଗୁଛି ଯେମିତି ମୋର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଦକ୍ଷିଣ ଭାରତୀୟ ସିନେମା ଜଗତର ଏହି ପ୍ରସିଦ୍ଧ ଅଭିନେତାଙ୍କ ସହ କାମ କରିବା ଲାଗି ମୋର ଦୀର୍ଘଦିନରୁ ଇଚ୍ଛା ଥିଲା । ତେଲଗୁ ଭାଷାର ଏହି ପିରିୟଡ୍‌ ଫିଲ୍ମ ମୋର କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା କରୁଛି ।’ ପବନ କଲ୍ୟାଣଙ୍କ ସହ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବ୍ୟତୀତ ନିଧିଙ୍କ ହାତରେ ଆଉ ଦୁଇଟି ଫିଲ୍ମ ବି ରହିଛି । ସେହିପରି ସୁଯୋଗ ମିଳିଲେ ସେ ପୁଣିଥରେ ବଲିଉଡ୍‌ରେ ଭାଗ୍ୟପରୀକ୍ଷା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button