ନିଜକୁ ଅଡୁଆରେ ପକାଇବାକୁ ଚାହୁଁନି: ଜ୍ୟାକ୍‌ଲିନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବି-ଟାଉନରେ ଏବେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିକଟରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ବେଶ୍ ଆକ୍ରାତ୍ମକ ଭୂମିକା ନେଇ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ନାଁ ନେଇଥିଲେ। ସେଥିପାଇଁ କିଛି ସେଲିବ୍ରିଟି ଏବେ ତାଙ୍କ ବିରୁଦ୍ଧରେ ଟ୍ୱିଟ୍‌ କରୁଛନ୍ତି। ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ। କିନ୍ତୁ କୌଣସି ସନ୍ଦର୍ଭ କିମ୍ବା କାହାର ନାଁ ନ ନେଇ ଜ୍ୟାକ୍‌ଲିନ ପରୋକ୍ଷରେ କଙ୍ଗନାଙ୍କୁ ଉତ୍ତର ଦେଇଥିବା ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି। 

ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଫ୍ୟାନ୍‌ମାନେ ସବୁବେଳେ ବିଦେଶୀ ଅଭିନେତ୍ରୀଙ୍କୁ ପସନ୍ଦ କରନ୍ତି। ଏହି ସମୟରେ ସେ ଜ୍ୟାକ୍‌ଲିନଙ୍କ ନାଁ ନେଇଥିଲେ। ଜ୍ୟାକ୍‌ଲିନ ଏବେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ପରିସ୍ଥିତିରେ ମୁଁ ନିଜ ନାଁକୁ ସୁରକ୍ଷା ଦେବାକୁ ଚାହୁଁଥିଲି। ମୁଁ କେବଳ ନିଜର ଶାନ୍ତିକୁ ସୁରକ୍ଷା ଦେବାକୁ ଚାହୁଁଛି। ଯିଏ ଯାହା ଚିନ୍ତା କରୁଛି, ମୁଁ ତା’କୁ ତାହା କରିବାକୁ ଦେଉଛି। ଜ୍ୟାକ୍‌ଲିନଙ୍କ କହିବାର ଅର୍ଥ ହେଉଛି ଯିଏ ଯାହା କହୁ ନା କାହିଁକି, ସେ ନିଜକୁ କୌଣସି ଅଡୁଆରେ ପକାଇବାକୁ ଚାହୁଁନାହାନ୍ତି। ଶାନ୍ତିରେ ରହିବାକୁ ଚାହୁଁଛନ୍ତି। ମାନସିକ ଶାନ୍ତିରେ କୌଣସି ସାଲିସ କରିବାକୁ ତାଙ୍କର ଇଚ୍ଛା ନାହିଁ। ସାକ୍ଷାତକାରରେ କଙ୍ଗନା ଉଭୟ ତାପସୀ ଓ ସ୍ୱରା ଭାସ୍କରଙ୍କୁ ବି-ଗ୍ରେଡ୍‌ ଅଭିନେତ୍ରୀ କହିଥିଲେ। ଏହାର ଜବାବରେ ତାପସୀ ଓ ସ୍ୱରା ସିଧାସଳଖ ତାଙ୍କ ବିରୋଧରେ ଟ୍ୱିଟ୍‌ କରିଥିଲେ।

ମତାମତ ଦିଅନ୍ତୁ ।