ନିର୍ବାଚନୀ ବଣ୍ଡ ଉପରେ ରୋକ : ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟଳୟ ଏପ୍ରିଲ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାରି ହେବାକୁ ଥିବା ନିର୍ବାଚନୀ ବଣ୍ଡ୍ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଏ ସମ୍ପର୍କିତ ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ଆଉ କହିଛନ୍ତି ଯୋଜନା ୨୦୧୮ରୁ ଲାଗୁ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି।

ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ନିର୍ବାଚନୀ ବଣ୍ଡ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମାର୍ଚ୍ଚ ୨୪ରେ କୋର୍ଟ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ଶୁଣାଣି ସମୟରେ ନିର୍ବାଚନ କମିଶନ କହିଛନ୍ତି ଆମେ ନିର୍ବାଚନୀ ବଣ୍ଡ ଯୋଜନାକୁ ସମର୍ଥନ କରୁଛୁ। ଯଦି ବଣ୍ଡର ବ୍ୟବସ୍ଥା ନ ରହିବ ରାଜନୀତିକ ଦଳଗୁଡ଼ିକ ନଗଦ ଟଙ୍କା ପାଇବେ। ଏହାଦ୍ୱାରା କଳାଟଙ୍କା କାରବାର ବଢ଼ିବାର ଆଶଙ୍କା ରହିଛି। ବଣ୍ଡ ବ୍ୟବସ୍ଥା ଭଲ। କିନ୍ତୁ ଏଥିରେ ଆଉ ଟିକିଏ ସ୍ୱଚ୍ଛତା ଆସିବା ଉଚିତ।

ନିର୍ବାଚନୀ ବଣ୍ଡକୁ କିଣି ବିଭିନ୍ନ ବ୍ୟକ୍ତି, ସଂସ୍ଥା ଓ କମ୍ପାନୀ ପକ୍ଷରୁ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦିଆଯାଏ। ଏହା ବିରୋଧରେ ଏଡିଆର ନାମକ ସଂସ୍ଥା ଦାଖଲ କରିଥିବା ଆବେଦନ ଉପରେ ଯୁକ୍ତି ଦର୍ଶାଇ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳକୁ ଚାନ୍ଦା ନାଁରେ ଲାଞ୍ଚ ଦେଇ କାମ ହାସଲ କରିବାକୁ ପ୍ରୟାସ କରାଯାଉଛି। ଏହା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେ କହିଥିଲେ ଏହି ଲାଞ୍ଚ କେବଳ ଶାସକ ଦଳକୁ ନୁହେଁ ବରଂ ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିବାର ସମ୍ଭାବନା ଥିବା ଦଳକୁ ମଧ୍ୟ ମିଳିଥାଏ। ଏହାକୁ ଆପଣ ଏଡ଼ାଇ ପାରିବେ କି ?

ପ୍ରଶାନ୍ତ ଭୂଷଣ କହିଥିଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ବାଚନୀ ବଣ୍ଡ ଉପରେ ଆପତ୍ତି ଉଠାଇଥିଲା। ଆରବିଆଇ କହିଥିଲା ଏହି ବଣ୍ଡ ବ୍ୟବସ୍ଥା ଆର୍ଥିକ ଘୋଟାଲାର ଆଉ ଏକ ମାଧ୍ୟମ। ଅନେକ ଲୋକ ବିଦେଶରେ ଟଙ୍କା ସଂଗ୍ରହ କରି ଏଥିରୁ କିଛି ଅଂଶରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଇପାରିବେ। ଏହା କଳାଧନ ବିରୋଧରେ ଲଢ଼େଇ ନା ଆଉ କିଛି ? ସରକାରଙ୍କ ବିଶ୍ୱସନୀୟତା ପ୍ରତି ଏପରି ବ୍ୟବସ୍ଥା ପ୍ରଶ୍ନ ଉଠାଉଛି। ବିଶ୍ୱର କୌଣସି ସ୍ଥାନରେ ଏପରି ହେଉନାହିଁ। ନିର୍ବାଚନୀ ବଣ୍ଡ ମାଧ୍ୟମରେ ସରକାରଙ୍କୁ ଲାଞ୍ଚ ଦିଆଯାଉଛି। କିଏ, କେତେ ଟଙ୍କା ଓ କେଉଁ ପାର୍ଟିକୁ ଦେଲା ତାହା ନିର୍ବାଚନ କମିଶନ ଜାଣି ପାରୁନାହାନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜାଣୁଛି ମାନେ ସରକାର ଜାଣୁଛନ୍ତି। କୋର୍ଟ ତାଙ୍କ ଯୁକ୍ତି ଶୁଣିବା ପରେ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଏପ୍ରିଲ ୧ରୁ ନୂଆ ନିର୍ବାଚନୀ ବଣ୍ଡ ଜାରି କରିବାକୁ ଅନୁମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button