ନିର୍ବାଚନ ହେଉଥିବା ରାଜ୍ୟରେ ନକ୍ସଲ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ନକ୍ସଲ ଆକ୍ରମଣ ସମ୍ଭାବନା ଥିବା ଗୁଇନ୍ଦା ସୂଚନା ଦେବାରୁ ପୋଲିସକୁ ଆଲର୍ଟ କରାଯାଇଛି। ପଶ୍ଚିମବଙ୍ଗ ପ୍ରତି ଏହି ଭୟ ଅଧିକ ବୋଲି କୁହାଯାଇଛି।

ଗୁଇନ୍ଦା ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରଭାବ କମିଥିବାରୁ ନକ୍ସଲମାନେ ପୁଣି ସଙ୍ଗଠନକୁ ସକ୍ରିୟ କରିବାକୁ ଚେଷ୍ଟା ଚଳାଇଛନ୍ତି। ନିର୍ବାଚନ ପୂର୍ବରୁ ସ୍ଥତି ଜାହିର କରିବାକୁ ହେଉଛନ୍ତି ପ୍ରସ୍ତୁତ। ହିଂସାକାଣ୍ଡ ଘଟାଇବା ପାଇଁ ନକ୍ସଲ ସଂଗଠନ ଇଷ୍ଟର୍ଣ୍ଣ ରିଜିଓନାଲ୍‌ ବ୍ୟୁରୋ ବେଙ୍ଗଲର ପଡ଼ୋଶୀ ରାଜ୍ୟରେ ଅସ୍ତଶସ୍ତ୍ର ଠୁଳ କରୁଥିବା ବେଳେ ଏହି ରିଜିଅନରେ ବିହାର ଓ ଝାଡ଼ଖଣ୍ଡ ରହିଛି। ଏ ଦୁଇରାଜ୍ୟକୁ ପଶ୍ଚିମବଙ୍ଗ ସୀମା ଲାଗିଛି।

ସେହିପରି ଗତ ୪ ମାସ ମଧ୍ୟରେ ଝାଡ଼ଖଣ୍ଡ ଓ ବିହାରରେ ନକ୍ସଲ କମାଣ୍ଡରମାନେ ସକ୍ରିୟ ହେଉଥିବା ଜଣାପଡ଼ିଛି। ବିଏସ୍‌ଏଫର ପୂର୍ବତନ ଆଇଜି ଅଜମଲ ସିଂହ କଟାଚ କହିଛନ୍ତି ନକ୍ସଲମାନେ ନିର୍ବାଚନକୁ ଦୃଷ୍ଟିରେ ରଖି ହିଂସା ସୃଷ୍ଟି ମାଧ୍ୟମରେ ସ୍ଥିତି ଜାହିର କରିବାକୁ ଚେଷ୍ଟା କରନ୍ତି। ସେମାନେ ପେଟ୍ରୋଲ ପମ୍ପ, ବ୍ୟବସାୟୀ, ଠିକାଦାର ଓ ହୋଟେଲ ଆଦିରୁ ବଟି ଆଦାୟ କରୁଥିବାରୁ ନିର୍ବାଚନ ବେଳେ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଉଛି।

ଗୁଇନ୍ଦା ସୂଚନା ହେଲା ନକ୍ସଲମାନେ ବଡ଼ ଧରଣର ବିସ୍ଫୋରଣ ପାଇଁ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟରେ ପାଖାପାଖି ୮୦୦ କିଲୋ ବିସ୍ଫୋଟକ ସାଇତି ରଖିଛନ୍ତି। ସୁରକ୍ଷାବଳଙ୍କ ଉପ​ରେ ଏହାକୁ ବ୍ୟବହାର କରିପାରନ୍ତି। ଏହାଛଡା ଅଣ୍ଡର ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର ମଧ୍ୟ ରଖିଛନ୍ତି। ଏହା ଜଣାପଡିବା ପରେ ସୁରକ୍ଷା ଏଜେନ୍ସି ନକ୍ସଲଙ୍କୁ ଚେକ୍‌ ଦେବାକୁ ପ୍ରସ୍ତୁତ ହେଉଛି।

Leave a Reply

Your email address will not be published. Required fields are marked *

Back to top button