ନିର୍ବାଚନ ପାଇଁ କୋହଳ ହେଲା ଜନଗହଳି କଟକଣା

ଭୁବନେଶ୍ୱର : ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ ହେଉଛି ଉପନିର୍ବାଚନ। ଏଥିପାଇଁ କୋଭିଡ୍ କଟକଣାକୁ କୋହଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସଂଶୋଧିତ ନିର୍ଦ୍ଦେଶନା ଜାରି ହୋଇଛି।

ଶନିବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଅକ୍ଟୋବର ପହିଲାରେ ଜାରି ନିର୍ଦ୍ଦେଶନାମାର ଧାରା-୨ର ଉପଧାରା-ଘ’ରେ ଥିବା ପ୍ରାବଧାନରେ ସଂଶୋଧନ କରାଯାଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସାମାଜିକ, ରାଜନୀତିକ, କ୍ରୀଡ଼ା, ଆମୋଦପ୍ରମୋଦ, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଜନଗହଳି ଉପରେ କଟକଣା ରହିଛି। ହେଲେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରେ ଏହାକୁ କୋହଳ କରାଯାଇଛି। କୌଣସି ଆବଦ୍ଧଘରେ ସର୍ବାଧିକ ୨୦୦ ଲୋକ (ପ୍ରକୋଷ୍ଠର କ୍ଷମତାର ସର୍ବାଧିକ ୫୦%) ଏକଜୁଟ ହୋଇପାରିବେ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ହାତ ସାନିଟାଇଜ୍ କରିବା ସହ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି।

ସେହିପରି ଖୋଲା ସ୍ଥାନ ବା ପଡ଼ିଆର ସାଇଜକୁ ଦେଖି ଜିଲ୍ଲା ପ୍ରଶାସନ ଲୋକଙ୍କ ଏକଜୁଟ ହେବା ପାଇଁ ଅନୁମତି ଦେଇପାରିବ। ସାମାଜିକ ଦୂରତ୍ୱ ରଖି ଉକ୍ତ ପଡ଼ିଆରେ କେତେ ଲୋକ ଏକଜୁଟ ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ। ଏଥିପାଇଁ କୌଣସି ସର୍ବାଧିକ ସଂଖ୍ୟା ନିର୍ଦ୍ଧାରଣ କରାଯାଇନି। ତେବେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି।

ମତାମତ ଦିଅନ୍ତୁ ।