ନିର୍ବାଚନ ପ୍ରଚାରରେ କାର୍ତ୍ତି ଚିଦମ୍ବରମ୍ଙ୍କ ପତ୍ନୀଙ୍କ ନୃତ୍ୟର ଭିଡିଓ ପ୍ରଦର୍ଶନ

ଚେନ୍ନାଇ : ତାମିଲ୍ନାଡୁ ନିର୍ବାଚନ ପ୍ରଚାର ଭିଡିଓରେ କାର୍ତ୍ତି ଚିଦମ୍ବରମ୍ଙ୍କ ପତ୍ନୀ ଶ୍ରୀନିଧି ଚିଦମ୍ବରମ୍ଙ୍କ ନୃତ୍ୟର ଦୃଶ୍ୟ ବିଜେପି ପ୍ରଦର୍ଶନ କରିଛି। ଶ୍ରୀନିଧି ଜଣେ ସ୍ୱନାମଧନ୍ୟା ନୃତ୍ୟାଙ୍ଗନା ତଥା ଡାକ୍ତରାଣୀ। ଭିଡିଓରେ ଶ୍ରୀନିଧି ଚିଦମ୍ବରମ୍ଙ୍କ ଭାରତନାଟ୍ୟମ୍ ପ୍ରଦର୍ଶନର ସଂଯୋଜନା କରାଯାଇଛି। ତାମିଲ୍ନାଡୁର ସଂସ୍କୃତି ଓ ରାଜ୍ୟର ବିକାଶ ପାଇଁ ବିଜେପି ରଖିଥିବା ଦୃଷ୍ଟିଭଙ୍ଗୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ଭିଡିଓରେ ପ୍ରୟାସ କରାଯାଇଛି।
ବିଜେପିର ଏଭଳି ଭିଡିଓକୁ ତାମିଲ୍ନାଡୁ କଂଗ୍ରେସ ସମାଲୋଚନା କରି କହିଛି ଆମେ ଜାଣୁ ‘ସମ୍ମତି’ କ’ଣ ବୁଝିବା ତୁମ ପକ୍ଷେ କଷ୍ଟକର। କିନ୍ତୁ ଶ୍ରୀମତୀ ଶ୍ରୀନିଧି କାର୍ତ୍ତି ଚିଦମ୍ବରମ୍ଙ୍କ ବିନା ଅନୁମତିରେ ତୁମେ ତାଙ୍କ ଚିତ୍ର ବ୍ୟବହାର କରି ପାରିବ ନାହିଁ। ତୁମର ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ମିଥ୍ୟା ଓ ପ୍ରଚାରସର୍ବସ୍ୱ ବୋଲି ଏହା ପ୍ରମାଣିତ କରିଛି। କେବଳ ସେତିକି ନୁହେଁ ଅନେକ ତାମିଲନାଡୁବାସୀ ମଧ୍ୟ ଏହାକୁ ନେଇ ବିଜେପିକୁ ଟ୍ରୋଲ୍ କରିଥିବା ବେଳେ ଶ୍ରୀନିଧି ଚିଦମ୍ବରମ୍ ପ୍ରତିକ୍ରିୟାରେ ଏହାକୁ ହାସ୍ୟାସ୍ପଦ କହିଛନ୍ତି। ତେବେ ବିଜେପିର ତାମିଲ୍ନାଡୁ ଟୁଇଟର୍ ପେଜ୍ରୁ ଭିଡିଓଟିକୁ ହଟାଇ ଦିଆଯାଇଛି।