ନିର୍ବାଚନୀ ଟ୍ରଷ୍ଟରୁ ୨୭୬ କୋଟି ପାଇଛି ବିଜେପି

ନୂଆଦିଲ୍ଲୀ : ୨୦୧୯-୨୦୨୦ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଟ୍ରଷ୍ଟରୁ କେତେ ଟଙ୍କା ଆୟ କରିଛନ୍ତି ତାହାର ରିପୋର୍ଟ ସାମ୍ନାକୁ ଆସିଛି। ବିଜେପି ୨୭୬.୪୫ କୋଟି ଟଙ୍କା ଆୟ କରିଛି। କେବଳ ପ୍ର୍ୟୁଡେଣ୍ଟ ନିର୍ବାଚନୀ ଟ୍ରଷ୍ଟ ବିଜେପିକୁ ୨୧୭.୭୫ କୋଟି ଟଙ୍କା ଦେଇଥିବା ବେଳେ ଜନ କଲ୍ୟାଣ ଟ୍ରଷ୍ଟ ୪୫.୯୫ କୋଟି, ଏବି ଜେନେରାଲ ନିର୍ବାଚନୀ ଟ୍ରଷ୍ଟ ୯ କୋଟି ଓ ୩.୭୫ କୋଟି ଟଙ୍କା ସମାଜ ନିର୍ବାଚନୀ ଟ୍ରଷ୍ଟ ଦେଇଛି। ଏହାବ୍ୟତୀତ ବିଭିନ୍ନ ସୂତ୍ରରୁ ଏହି ଦଳ ଆୟ କରିଥିବା ତଥ୍ୟ ମିଳିନାହିଁ।

ସେହପରି କଂଗ୍ରେସ ନିର୍ବାଚନୀ ଟ୍ରଷ୍ଟରୁ ମାତ୍ର ୫୮ କୋଟି ଟଙ୍କା ପାଇଛି। ଏ ମଧ୍ୟରୁ ପ୍ର୍ୟୁଡେଣ୍ଟ ଟ୍ରଷ୍ଟ ୩୧ କୋଟି ଟଙ୍କା ଦେଇଥିବା ବେଳେ ଜନକଲ୍ୟାଣ ୨୫ କୋଟି ଓ ସମାଜ ନିର୍ବାଚନୀ ଟ୍ରଷ୍ଟ ୨ କୋଟି ଟଙ୍କା ଦାନ ଆକାରରେ ଦେଇଛି। ୨୦୧୯-୨୦ରେ ରାଜ୍ୟ ସ୍ତରରେ ସକ୍ରିୟ ୩୫ଟି ଅନୁମୋଦନ ପ୍ରାପ୍ତ ରାଜନୀତିକ ଦଳ ସେମାନଙ୍କ ବାର୍ଷିକ ଅଡିଟ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖରେ ଏବେ ସୁଦ୍ଧା ଦାଖଲ କରିଛନ୍ତି। ଏଥିରେ ସେମାନଙ୍କ ମୋଟ ଆୟ ସମ୍ପର୍କରେ ତଥ୍ୟ ରହିଛି। ଟିଆରଏସ୍‌ ସର୍ବାଧିକ ୧୩୦.୪୫ କୋଟି ଆୟ କରିଥିବା ବେଳେ ଏହା ପଛକୁ ଶିବସେନା ୧୧୧.୪ କୋଟି, ୱାଇଏସ୍‌ଆରସିପି ୯୨.୭ କୋଟି, ଓଡ଼ିଶାରେ କ୍ଷମତାସୀନ ବିଜେଡି ୯୦.୩୫ କୋଟି, ଏଆଇଏଡିଏମକେ ୮୯.୬ କୋଟି, ଡିଏମକେ ୬୪.୯୦ କୋଟି ଓ ଆପ ୪୯.୬୫ କୋଟି ଆୟ କରିଛି।

ଏହି ଦଳଗୁଡ଼ିକ ୨୦୧୯-୨୦ରେ ନିର୍ବାଚନୀ ବଣ୍ଡରୁ ମଧ୍ୟ ଆୟ କରିଛନ୍ତି। ଟିଆରଏସ୍ ନିର୍ବାଚନୀ ବଣ୍ଡରୁ ୮୯ କୋଟି, ୱାଇଏସ୍‌ଆରସିପି ୭୪ କୋଟି, ବିଜେଡି ୫୦.୫ କୋଟି, ଡିଏମକେ ୪୫.୫ କୋଟି, ଶିବସେନା ୪୧ କୋଟି, ଆପ ୧୮ କୋଟି ଓ ସମାଜବାଦୀ ପାର୍ଟି ୧୧ କୋଟି ଟଙ୍କା ପାଇଛି।

Leave a Reply

Your email address will not be published. Required fields are marked *

Back to top button