ନିଶାସକ୍ତ ଯୁବକ ପାଇଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ନାକେଦମ୍

ଡାବୁଗାଁ : ହାଟପଦା ସାହିର ଜଣେ ନିଶାସକ୍ତ ଯୁବକ ପାଇଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ନାକେଦମ୍ ହୋଇଛନ୍ତି। ଯୁବକ ଜଣକ ଗୋଟିଏ ବିରାଟ ବରଗଛ ଉପରକୁ ଚଢିଯାଇ ନ ଓହ୍ଲାଇବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଡାବୁଗାଁ ସଦର ହାଟପଦା ସାହିର ମାନସ ନାୟକ ଓ ତାଙ୍କ ପତ୍ନୀଙ୍କର କୌଣସି କଥାକୁ ନେଇ ଆଜି ସକାଳେ ଝଗଡା ହୋଇଥିଲା। ଏହି ଘଟଣା ପରେ ମାନସ ଏକ ବଡ ବରଗଛ ଉପରକୁ ଚଢି ଯାଇଥିଲା। ଯେହେତୁ ସେ ନିଶାସକ୍ତ ତଳେ ପଡିଯିବା ଆଶଙ୍କାରେ ଲୋକେ ଚିନ୍ତିତ ଥିଲେ। ହେଲେ ଓହ୍ଲାଇବାକୁ ଯେତେ କୁହାଗଲେ ମଧ୍ୟ ମାନସ କାହା କଥା ଶୁଣି ନଥିଲା। ଖବର ଡାବୁଗାଁ ଥାନାରେ ପହଞ୍ଚିବାରୁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର ପାଇଁ ଆସିଥିଲେ। କିନ୍ତୁ ମାନସ ଗଛ ଉପରୁ ଡେଇଁ ପଡ଼ିବି ବୋଲି ଧମକ ଦେବାରୁ ସମସ୍ତେ ନିରୁପାୟ ହୋଇଥିଲେ। ଏ କଥା ପାଖଆଖ ଗାଁ ଲୋକେ ଜାଣିବା ପରେ ବରଗଛ ମୂଳରେ ପ୍ରବଳ ଜନ ଗହଳି ହେଇଥିଲା। ଦୀର୍ଘ ଦେଢ଼ଘଣ୍ଟା ପରେ ନିଶାସକ୍ତ ମାନସ ବରଗଛରୁ ଓହ୍ଲାଇବାରୁ ସମସ୍ତେ ଆଶ୍ଵସ୍ତ ହୋଇଥିଲେ।

ମତାମତ ଦିଅନ୍ତୁ ।