ନିଟ୍ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିଲେ ଓଡ଼ିଶାର ସୋଏବ ଆଫତାବ

ଭୁବନେଶ୍ୱର : ଓଡ଼ିଶାର ସୋଏବ ଆଫତାବ ଏନଟିଏ-ଏନଇଇଟି ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ଇତିହାସ ସୃଷ୍ଟି କରିଛନ୍ତି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସେ ହୋଇଛନ୍ତି ଏନଇଇଟିରେ ଟପ୍ପର। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି। ତାଙ୍କ ପାଠପଢ଼ା ପାଇଁ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାଠାେରେ ରହୁଛନ୍ତି। କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।

ସୂଚନାଯୋଗ୍ୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନଟିଏ ଏନଇଇଟି (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୦ ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଉଭୟ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୪ରେ ହୋଇଥିବା ପରୀକ୍ଷାର ଫଳାଫଳ ଅନ୍ତର୍ଭୁକ୍ତ ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ କରି ସଫଳ ପରୀକ୍ଷା ପରିଚାଳନା ପାଇଁ ଏନଟିଏ ମହାନିର୍ଦ୍ଦେଶକ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ସଫଳ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଯେଉଁମାନେ ସଫଳ ହୋଇପାରିନାହନ୍ତି ସେମାନଙ୍କୁ ନିରାଶ ନହେବା ପାଇଁ ଦେଇଛନ୍ତି ପରାମର୍ଶ। ଗୋଟିଏ ପରୀକ୍ଷାରେ ବିଫଳତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି କହିଛନ୍ତି ।

ମତାମତ ଦିଅନ୍ତୁ ।