ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ : ହିଂସାରେ ୪ ନିହତ

ଢାକା : ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରବଳ ବିରୋଧ ହୋଇଛି। ମୌଳବାଦୀ ଗୋଷ୍ଠୀ ହିଂସାକାଣ୍ଡ ଘଟାଇବାରୁ ପୋଲିସର ରବର ଗୁଳିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।

ଖବର ଅନୁଯାୟୀ ଶୁକ୍ରବାର ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ଢାକାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବାଂଲାଦେଶର ମୁକ୍ତି ସଂଗ୍ରାମରେ ଶେଖ ମୁଜିବୁର ରେହମାନଙ୍କ ନେତୃତ୍ଵ ଓ ଭାରତୀୟ ସେନାର ଅବଦାନକୁ ସ୍ମରଣ କରିଛନ୍ତି।

ଅନ୍ୟପକ୍ଷରେ ବାଂଲାଦେଶର ଚିଟ୍ଟାଗଙ୍ଗ ସହରରେ ମୋଦିଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ପ୍ରଦର୍ଶନକାରୀ ହିଂସାକାଣ୍ଡ ଘଟାଇବାରୁ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରେ ରବର ବୁଲେଟ୍ ଚାଳନା କରିଥିଲା। ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ଅଧିକାରୀ ରାଫିକ୍ୟୁଲ ଇସଲାମ କହିଛନ୍ତି ପ୍ରଦର୍ଶନକାରୀମାନେ ମୋଦିଙ୍କ ଗସ୍ତକୁ ବିରୋଧ କରିବା ସହିତ ଏକ ପୋଲିସ ଷ୍ଟେସନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନଙ୍କୁ ରୋକିବାକୁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା।

ସେହିପରି ବାଂଲାଦେଶର ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ ଢାକାର ବୈତୁଲ ମୁକ୍କରମ ଅଞ୍ଚଳର ଜାତୀୟ ମସଜିଦରେ ଶୁକ୍ରବାର ନମାଜ ପରେ ଲୋକମାନେ ଏକତ୍ରିତ ହୋଇ ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହା ପରେ ସେମାନେ ନିକଟରେ ଥିବା ଏକ ଥାନାକୁ ଯାଇ ଭଙ୍ଗାରୁଜା କରିଥିଲେ। ଯାହାଫଳରେ ପୋଲିସ ବାଧ୍ୟ ହୋଇ ଲୁହବୁହା ବାଷ୍ପ ଓ ରବର ଗୁଳି ଚଳାଇବାରୁ ଦଳାଚକଟା ହୋଇ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button