ନୋଟ୍‌ ଓ ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ରହୁଛି କରୋନା ଭୂତାଣୁ

ମେଲବର୍ଣ୍ଣ : ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଥିବା କରୋନା ଭୂତାଣୁ ସମ୍ପର୍କରେ ଜାଣିବା ପାଇଁ ଗବେଷଣା ଜାରି ରହିଛି। ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଷ୍ଟେନଲେସ୍‌ ଷ୍ଟିଲ, ଫୋନର ସ୍କ୍ରିନ ଗ୍ଲାସ, କାଚ, ପ୍ଲାଷ୍ଟିକ ଓ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ୨୮ ଦିନ ସକ୍ରିୟ ରହୁଛି। ଏହାର ସଂସ୍ପର୍ଶରେ ଆସିଲେ ଜଣେ ସୁସ୍ଥ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ପୂର୍ବରୁ କୁହାଯାଇଥିଲା ଏସବୁ ଜିନିଷ ଗୁଡ଼ିକରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଛି। ଏବେ ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ କହିଛନ୍ତି ୨୮ ଦିନ ଯାଏ କରୋନା ଭୂତାଣୁ ବଞ୍ଚି ରହୁଛି। ସେମାଙ୍କାଙ୍କ ମତ କମ ତାପମାତ୍ରାରେ ଏହି ଭାଇରସ ଅଧିକ ଦିନ ସକ୍ରିୟ ହୋଇ ରହିପାରୁଛି। ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ଅଞ୍ଚଳରେ ଭାଇରସକୁ ଦୀର୍ଘ ୨୮ ଦିନ ଯାଏ ଠାବ କରାଯାଇ ପାରୁଛି। ଗବେଷକମାନେ ବିଭିନ୍ନ ଜିନିଷକୁ ନେଇ ପରୀକ୍ଷା କରିଥିଲେ। ପରୀକ୍ଷାରେ ସାମିଲ ହୋଇଥିଲା କାଚ, ପଲିମର ନୋଟ, ଷ୍ଟେନଲେସ ଷ୍ଟିଲ ଓ ପେପର ନୋଟ୍‌ ଇତ୍ୟାଦି। କରୋନା ଭୂତାଣୁ ପୂର୍ବରୁ ଇନପ୍ଲ୍ୟୁଏଞ୍ଜା ଭାଇରସ ୧୭ ଦିନ ଏହି ଜିନିଷରେ ସକ୍ରିୟ ରହୁଥିଲା। ଗବେଷଣାରୁ ଆହୁରି ଜଣାପଡ଼ିଛି କଟନ ତୁଳନାରେ ଅନ୍ୟାନ୍ୟ ଦ୍ରବ୍ୟରେ ଏହା ଅଧିକ ଦିନ ସକ୍ରିୟ ରହୁଛି। ସେହିପରି ପ୍ଲାଷ୍ଟିକ ନୋଟ ତୁଳନାରେ ପେପଟ ନୋଟ୍‌ ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଧିକ।

୨୦ ଡିଗ୍ରୀ ସେଲସିୟରେ ୨୮ ଦିନ ସକ୍ରିୟ ରହୁଥିବା କରୋନା ଭୂତାଣୁ ୩୦ ଡିଗ୍ରୀ ତାପମାତ୍ରାରେ ୭ ଦିନ ଓ ୪୦ ଡିଗ୍ରୀ ତାପମାତ୍ରାରେ ୨୪ ଘଣ୍ଟା ମଧ୍ୟରେ ନଷ୍ଟ ହୋଇଯାଏ। ପୂର୍ବରୁ ଲାନସେଟ୍‌ ସର୍ଭେରେ କୁହାଯାଇଥିଲା ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ୫ ମିନିଟ୍‌ ମଧ୍ୟରେ ନଷ୍ଟ ହୋଇଯାଇଥାଏ। ହେଲେ ୪୦ ଡିଗ୍ରୀ ସେଲସିୟରେ ଏହା ପୂର୍ବଭଳି ସଂକ୍ରିୟ ରହିଥାଏ। ଏବେ କିନ୍ତୁ ଅଷ୍ଟ୍ରେଲୀୟ ଗବେଷକ ନୂଆ ତଥ୍ୟ ଦେଇଛନ୍ତି।

ମତାମତ ଦିଅନ୍ତୁ ।