ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ କବରତ୍ତି

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଆଜି ସାମିଲ ହୋଇଛି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି। ବିଶାଖାପାଟଣା ସ୍ଥିତ ନୌସେନା ଡକୟାର୍ଡରେ ଏହାକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ଏହି ଅବସରରେ ସେ କହିଛନ୍ତି ସୁମଦ୍ର ତଟରେ ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଆଉ ଏକ ପାଦ ଆଗକୁ ବଢ଼ାଇଛୁ। ନୌସେନାକୁ ଏହା ଅଧିକ ସଶକ୍ତ କରିବ। ସେଥିପାଇଁ ମୁଁ ଟିମ୍‌ କବରତ୍ତିକୁ ଶୁଭେଚ୍ଛା ଜଣାଉଛି।

ସୂଚନା ଅନୁଯାୟୀ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ କବରତ୍ତି ଚତୁର୍ଥ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ। ପୂର୍ବରୁ ୩ଟି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜକୁ ନୌସେନାରେ ସାମିଲ କରାଯାଇ ସାରିଛି। ଆଇଏନଏସ୍ କବରତ୍ତିର ବିଶେଷତ୍ୱ ହେଲା ଶତ୍ରୁ ପକ୍ଷର ରାଡାରରେ ସହଜରେ ଧରାପଡିବ ନାହିଁ। ଏହାର ନିର୍ମାଣରେ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।

ଭାରତୀୟ ନୌସେନାର ଡିରୋକ୍ଟୋରେଟ ଅଫ ନାଭାଲ ଡିଜାଇନ୍‌ ପକ୍ଷରୁ ବିକଶିତ ଏହି ଜାହାଜର ଲମ୍ବ ୧୧୦ ମିଟର ଓ ଚଉଡ଼ା ୧୪ ମିଟର। ୩୫୦୦ ଟନ୍ ଓଜନର କ୍ଷମତା ବିଶିଷ୍ଟ ଆଇଏନ୍ଏସ୍ କବରତ୍ତିରେ ଆଣ୍ଟି ସବମେରିନ ରକେଟ୍ ଲଗାଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧଜାହାଜ ପରମାଣୁ, ରାସାୟନିକ ତଥା ଜୈବିକ ଯୁଦ୍ଧ ସ୍ଥିତିରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ଶତ୍ରୁ ପକ୍ଷର ଆକ୍ରମଣକୁ ପ୍ରତିହତ କରିପାରିବ।

ମତାମତ ଦିଅନ୍ତୁ ।