ନୂଆଦିଲ୍ଲୀ : ଦୀର୍ଘ ୩୪ ବର୍ଷ ପରେ ବଦଳିଲା ଜାତୀୟ ଶିକ୍ଷା ନୀତି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ହେଲା ଶିକ୍ଷା ମନ୍ତ୍ରାଳୟ। କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଛି। ତେବେ ନୂଆ ନୀତିରେ କ’ଣ ହୋଇଛି ପରିବର୍ତ୍ତନ ଆସନ୍ତୁ ଜାଣିବା।
୧- ନୂଆ ଶିକ୍ଷା ନୀତିରେ ଦେଶରେ ସ୍ଵାକ୍ଷର ହାର ୧୦୦ ପ୍ରତିଶତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷା କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଚିନ୍ତା କରିଛନ୍ତିି।
୨- ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲାମାନେ ବିଧିବଦ୍ଧ ସ୍କୁଲ୍ ଶିକ୍ଷା ଆରମ୍ଭ କରିବେ।
୩- ଛାତ୍ରଛାତ୍ରୀମାନେ ଅତି କମ୍ରେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ।
୪- ଷଷ୍ଠ ଶ୍ରେଣୀରୁ ଆରମ୍ଭ ଧନ୍ଦାମୂଳକ ଶିକ୍ଷା। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ରହିବ।
୫- ନୂଆ ଶିକ୍ଷା ନୀତି ଅଧୀନରେ ଏମ୍ଫିଲ୍ ପାଠ୍ୟକ୍ରମ ବନ୍ଦ ହେବ। ସ୍ନାତକ, ସ୍ନାତକୋତର ଓ ପିଏଚ୍ଡିସ୍ତରର ସମସ୍ତ କୋର୍ସ୍କୁ ଆନ୍ତଃବିଭାଗୀୟ କରାଯିବ।
୬- ବିଶ୍ଵବିଦ୍ୟାଳୟ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଅନୁଷ୍ଠିତ ହେବ ସାଧାରଣ ପ୍ରବେଶିକା ପରୀକ୍ଷା।
୭- ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ।
୮- ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ ହେବ।
୯- ୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍ସି ଓ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।
୧୦- ଦେଶର କ୍ୟାମ୍ପସ୍ ଖୋଲିବା ପାଇଁ ବିଦେଶୀ ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ଅନୁମତି ଦିଆଯାଇଛି।
୧୧- ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।
୧୨- ବୃତ୍ତିଗତ ଶିକ୍ଷା ଉଚ୍ଚଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିବ।
୧୩- ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ମିଳିବ ପ୍ରୋତ୍ସାହନା।
୧୪- ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଜାତୀୟ ସ୍କଲାରସିପ୍ ପୋର୍ଟାଲ୍ ବିସ୍ତାର କରାଯିବ।
୧୫- ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯଦି ଆଦର୍ଶ ଓ ମାନଦଣ୍ଡକୁ ଅନୁକରଣ ନକରନ୍ତି ତେବେ ଦଣ୍ଡିତ ହେବେ।