ଓଡ଼ିଆ ଲେଖି ପଢି ଜାଣି ନଥିବା ସରପଞ୍ଚଙ୍କ ପଦ ଗଲା

ଖଲ୍ଲିକୋଟ : ଓଡ଼ିଆ ଲେଖି ପଢି ଜାଣିନଥିବା ଅଗସ୍ତି ନୂଆଗାଁ ସରପଞ୍ଚଙ୍କ ପଦବୀ ଯାଇଛି। ତାଙ୍କୁ ଏଥିପାଇଁ ବହିଷ୍କାର କରାଯାଇଛି। ଛତ୍ରପୁର ସିଭିଲ ଜର୍ଜ କୋର୍ଟର ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଶୁକ୍ରବାର ଏହି ରାୟ ଦେଇଛନ୍ତି।

ଖବର ଅନୁଯାୟୀ ୨୦୧୭ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ବ୍ଲକର ଅଗସ୍ତି ନୁଆଁ ଗାଁ ସରପଞ୍ଚ ପି. ସମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ପରାଜିତ ସରପଞ୍ଚ ପ୍ରାର୍ଥୀ ନିବାସୀ ଗୌଡ଼ ତାଙ୍କ ବିରୋଧରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେ ଦର୍ଶାଇଥିଲେ ସମାଦ୍ରୀ ଓଡ଼ିଆ ପଢି ନାହାନ୍ତି ଓ ଦୁଇଟି ବିବାହ କରିଛନ୍ତି। ତାଙ୍କରି ଛଅଟି ସନ୍ତାନ ରହିଥିବା ନେଇ ଓକିଲଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ।

ଆଜି ଛତ୍ରପୁର ସିଭିଲ କୋର୍ଟ ପରିସରରେ ଏହି କେସ୍‌ର ଶୁଣାଣି ବେଳେ ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି ସରପଞ୍ଚଙ୍କ ପଦ ରଦ୍ଦ କରିଛନ୍ତି। ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button